ବିଜେପି ଛାଡ଼ି ଏନସିପିରେ ସାମିଲ ହେଲେ ଦୁଇ ବଡ଼ ନେତା: ମହାରାଷ୍ଟ୍ରର ମେଣ୍ଟ ରାଜନୀତିରେ ଚାଲିଛି କ’ଣ…

ନୂଆଦିଲ୍ଲୀ: ଆସନ୍ତା ମାସ ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ୨୮୮ ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତା’ପରେ ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏହା ମଧ୍ୟରେ ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିସାରିଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିବା ବେଳେ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ତେବେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା (ଏକନାଥ ଶିନ୍ଦ୍ରେ ଗ୍ରୁପ), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି- ଅଜିତ ପାୱାର ଗ୍ରୁପ)ଙ୍କୁ ନେଇ ଗଠିତ ମେଣ୍ଟ ଏକଠି ନିର୍ବାଚନ ଲଢ଼ିବେ । ଯେହେତୁ ଏହି ତିନି ଦଳ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସେହି ଅନୁସାରେ ୨୮୮ଟି ଆସନକୁ ଏହି ତିନି ଦଳ ମଧ୍ୟରେ ବଣ୍ଟନ ନେଇ ବୁଝାମଣା ହୋଇଛି । ତେବେ ଏହା ମଧ୍ୟରେ ମେଣ୍ଟ ରାଜନୀତିରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ବିଜେପି ଛାଡ଼ି ଏନସିପିରେ ସାମିଲ ହୋଇଛନ୍ତି ଦୁଇଜଣ ବଡ଼ ନେତା । ଏହା କ’ଣ ମେଣ୍ଟରେ ଫାଟ କି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ । ମାତ୍ର ଘଟଣାର ପୃଷ୍ଠଭୂମି କିନ୍ତୁ ଅଲଗା ରହିଛି ।

ବିଜେପି ନେତା ତଥା ପୂର୍ବତନ ସାଂସଦ ସଞ୍ଜୟକାକା ପାଟିଲ ଓ ନିଶିକାନ୍ତ ଭୋସଲେ ପାଟିଲ ଏନସିପିରେ ସାମିଲ ହୋଇଛନ୍ତି । ତେବେ ଏନସିପିରେ ସାମିଲ ହେବା ପରେ ସଙ୍ଗେସଙ୍ଗେ ସଞ୍ଜୟକାକାଙ୍କୁ ତାସଗାଓଁ କୱଠେ ମହାକାଳ ଆସନରୁ ଓ ନିଶିକାନ୍ତଙ୍କୁ ଇସ୍ଲାମପୁର ଆସନରୁ ଏନସିପି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ତାସଗାଓଁ କୱଠେ ଆସନ ଏନସିପିକୁ ମିଳିଥିବାରୁ ସେ ବିଜେପି ଛାଡ଼ି ଏନସିପିରେ ସାମିଲ ହୋଇଥିବା ସଞ୍ଜୟକାକା କହିଛନ୍ତି । ସେହିପରି ଇସ୍ଲାମପୁର ଆସନ ଏନସିପିକୁ ମିଳିଥିବାରୁ ସେ ବିଜେପି ଛାଡ଼ି ଏନସିପିରେ ମିଶିଥିବା ନିଶିକାନ୍ତ କହିଛନ୍ତି ।