fbpx

ଟୋକିଓ ଅଲିମ୍ପିକ୍ସରେ ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଜାପାନରେ ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ ଭୂତାଣୁ ଦ୍ୱାରା ସଂକ୍ରମିତ

ଟୋକିଓ (ଓଡ଼ିଶା ଭାସ୍କର) : ଆଗୁଆ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଗତ ସପ୍ତାହରେ ଜାପାନ ଆସିଥିବା ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ତେଣୁ ଟୋକିଓ ଅଲିମ୍ପିକ୍ସ ସାଂଗଠନିକ କମିଟି ବଡ ଚିନ୍ତାରେ ପଡି ଯାଇଛି । କାରଣ କରୋନା ସଂକ୍ରମଣ ଭୟରେ ଟୋକିଓ ଅଲିମ୍ପିକ୍ସ ବାତିଲ କରିବା ପାଇଁ ଜାପାନର ଅଧିକାଂଶ ଲୋକ ଦାବି କରି ଆସୁଥିବା ବେଳେ ଏହି ନୂଆ ଭ୍ୟାରିଏଣ୍ଟ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି ।

ସୂଚନା ଯୋଗ୍ୟ ଯେ ଗତ ସପ୍ତାହ ସନିବାର ଦିନ ଉଗାଣ୍ଡାର ଏକ ୯ ଜଣିଆ ଆଥଲେଟ୍‌ ଦଳ ଜାପାନରେ ପହଞ୍ଚି ଥିବା ବେଳେ ଦଳର କୋଚ୍‌ ଓ ଜଣେ ଆଥଲେଟ୍‌ କରୋନାରେ ଆକ୍ରାନ୍ତ ହୋଇଥିଲେ । ସୂଚନା ଯୋଗ୍ୟ ଯେ ଜାପାନରେ ବର୍ତ୍ତମାନ କରୋନାର ଚତୁର୍ଥ ଲହର ବିରୋଧରେ ଲଢ଼େଇ ଜାରି ରହିଥିବା ବେଳେ ଅଲିମ୍ପିକ୍‌ କ୍ରୀଡା ଆୟୋଜନ ହେଲେ ଦେଶରେ ଭୟାନକ ପରିସ୍ଥିତି ସୃଷ୍ଟି ହେବ ବୋଲି ଦେଶର ୮୦% ଲୋକ ଆଶଙ୍କା କରୁଛନ୍ତି । କାରଣ ୨୦୦ରୁ ଉଦ୍ଧ୍ୱର୍ଦେଶର ପ୍ରତିଯୋଗୀ ଓ କର୍ମକର୍ତ୍ତା ଏହି ସର୍ବ ବୃହତ କ୍ରୀଡା ଅବସରରେ ସମବେତ ହେବେ । ତେଣୁ ବିଭିନ୍ନ ପ୍ରକାରର କରୋନା ଭୂତାଣୁ ଦେଶରେ ପ୍ରବେଶ କରିବ ବୋଲି ଦେଶର ସଚେତନଶୀଳ ବ୍ୟକ୍ତି ବିଶେଷ ଆଶଙ୍କା କରୁଥିବା ଦୃଷ୍ଟିରୁ ଜାପାନ ସରକାର ଓ ଟୋକିଓ ଅଲିମ୍ପିକ କ୍ରୀଡା ଆୟୋଜକ କମିଟିକୁ ଚିନ୍ତାରେ ପକାଇଛି । କାରଣ ଆସନ୍ତା ଜୁଲାଇ ମାସ ୨୩ରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍‌ କ୍ରୀଡା । ଏଥିରେ ୨୦୦ରୁ ଉଦ୍ଧ୍ୱର୍ ଦେଶର ୧୧ ହଜାରରୁ ଅଧିକ କ୍ରୀଡାବିତ୍‌ ଓ କର୍ମକର୍ତ୍ତା ଯୋଗ ଦେବେ । କରୋନା ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଉପରେ ରୋକ୍‌ ଲାଗି ଥିଲେ ହେଁ ଅସଂଖ୍ୟ ଆଥଲେଟଙ୍କ ଉପସ୍ଥିତି ବି ଦର କାରଣ ହେବ ବୋଲି ଆଶଙ୍କା ରହିଛି।

Get real time updates directly on you device, subscribe now.