ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଉପରେ ଗବେଷଣା କରିବ ମିଳିତ ଜାତିସଂଘ: ଜିରୋ କାଜୁଆଲିଟିର ରହସ୍ୟ ଜାଣିବ ବିଶ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହାର ମହାବାତ୍ୟା ପରେ ଦୀର୍ଘ ଦୁଇ ଦଶନ୍ଧିର ଏହି ଅବଧିକ ମଧ୍ୟରେ ଓଡ଼ିଶା ଫାଇଲିନ, ହୁଡହୁଡ, ଫନି ପରି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତେବେ ବନ୍ୟା, ବାତ୍ୟା ଓ ଝଡ଼ ଗୋଟିଏ ପରେ ଗୋଟିଏ ଓଡ଼ିଶାରେ ତାଣ୍ଡବ ରଚିଥିଲେ ହେଁ ଓଡ଼ିଶା ଆଜି ବୀର ଦର୍ପରେ ଅଣ୍ଟା ସଳଖି ଠିଆ ହୋଇ ପାରିଛି । ସେଥିପାଇଁ ପୂର୍ବରୁ ମିଳିତ ଜାତିସଂଘ ତରଫରୁ ଓଡ଼ିଶାକୁ ପ୍ରଶଂସା କରାଯିବା ସହ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ତେବେ ଏହା ମଧ୍ୟରେ ଓଡ଼ିଶା ପାଇଁ ଆସିଛି ପୁଣି ଏକ ଖୁସି ଖବର ।

ଜିରୋ କାଜୁଆଲିଟିର ନାରା ଦେଇ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କରି ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଉଦାହରଣ ସାଜିଛି । ପୂର୍ବରୁ ଏଥିପାଇଁ ଓଡ଼ିଶା ଉଚ୍ଚପ୍ରଶଂସିତ ହୋଇଥିବା ବେଳେ ଏବେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବାବଦରେ ମିଳିତ ଜାତିସଂଘ ଅଧ୍ୟୟନ କରିବାକୁ ଯାଉଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସାରା ବିଶ୍ୱ ପାଇଁ କ’ଣ କ’ଣ ଯୋଜନା ଆବଶ୍ୟକ, ତା’ ଉପରେ ମିଳିତ ଜାତିସଂଘ ଗବେଷଣା କରିବ । ତେଣୁ ବିପର୍ଯ୍ୟୟ ମୁକାବିଲାରେ କାର୍ଯ୍ୟ କରୁଥିବା ବା ନିୟୋଜିତ ବିଭିନ୍ନ ଅଂଶୀଦାରଙ୍କ ସହିତ ଜାତିସଂଘ ଆଲୋଚନା କରିଛି । ଜାତିସଂଘ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ମିଳିତ ଭାବେ ଏହି ପ୍ରକ୍ରିୟା ଓଡ଼ିଶାରୁ ଆରମ୍ଭ ହୋଇଛି ।

ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ପ୍ରତିବର୍ଷ ସାମୁଦ୍ରିକ ଝଡ଼ ଓଡ଼ିଶା ମୁହାଁ ହେଉଛି । ସେହି କାରଣରୁ ଓଡ଼ିଶା ଏକାଧିକ ଥର ବନ୍ୟା, ବାତ୍ୟାର ସମ୍ମୁଖୀନ ହେଉଛି । ତେବେ ମିଳିମିଶି, ଗୋଷ୍ଠୀ ସହଭାଗିତାକୁ ପାଥେୟ କରି, ଶୂନ୍ୟ ଜୀବନହାନୀ ମନ୍ତ୍ରକୁ କାର୍ଯ୍ୟକାରୀ କରି ଓଡ଼ିଶା ଏ କ୍ଷେତ୍ରରେ ସଫଳ ହୋଇ ସାରିଛି । ସରକାର ବଦଳିଲେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ଫଳରେ ଓଡ଼ିଶା ଆଜି ସାରା ବିଶ୍ୱ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନିଆରା ଉଦାହରଣ ସୃଷ୍ଟି କରିପାରିଛି । ବିଭିନ୍ନ ସମୟରେ କେରଳ, ପଶ୍ଚିମବଙ୍ଗ ପରି ରାଜ୍ୟରେ ବାତ୍ୟା ମୁକାବିଲା ସମୟରେ ଓଡ଼ିଶା ସହଯୋଗର ହାତ ବଢ଼ାଇ ଆସିଛି ।