fbpx

‘ଡାର୍ଥ ୱାଡର’ ଏବଂ ‘ମୁଫାସା’କୁ ସ୍ୱର ଦେଇଥିବା ଜେମ୍ସ୍ ଅର୍ଲ ଜୋନ୍ସଙ୍କ ନିଧନ

ନୂଆଦିଲ୍ଲୀ: ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଜେମ୍ସ୍ ଅର୍ଲ ଜୋନ୍ସ(James Earl Jones) ୯୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ସୋମବାର ନ୍ୟୁୟର୍କର ହୁଡସନ୍ ଭ୍ୟାଲି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଏଜେଣ୍ଟ ବେରୀ ମ୍ୟାକଫର୍ସନ ସୂଚନା ଦେଇଛନ୍ତି । ଜେମ୍ସ୍ ତାଙ୍କ ଗମ୍ଭୀର ଅୱାଜ୍ ପାଇଁ ବେଶ୍ ଜଣାଶୁଣା । ‘ଡାର୍ଥ ୱାଡର’ ଏବଂ ‘ମୁଫାସା’ ଭଳି ଚରିତ୍ରକୁ ସେ ସ୍ୱର ଦେଇଛନ୍ତି ।

୧୯୩୧ ମସିହା ଜାନୁଆରୀ ୧୭ରେ ମିସିସିପିରେ ଜେମ୍ସ୍ ଅର୍ଲ ଜୋନ୍ସ ଜନ୍ମ ଗ୍ରହଣ କରିଥିଲେ । ସେ ପିଲାଦିନୁ ଜାତିଗତ ଭେଦଭାବର ସମ୍ମୁଖୀନ ହୋଇଥିଲେ । ୧୯୬୫ରେ ‘ଏଜ୍ ଦି ୱାର୍ଲ୍ଡ ଟର୍ଣ୍ଣ୍‌ସ’ ସହ ଡେ ଟାଇମ୍ ଟିଭିରେ ପରିଚୟ ସୃଷ୍ଟି କରିଥିବା ପ୍ରଥମ ଅଫ୍ରିକୀୟ- ଆମେରିକୀୟ କଳାକାରଙ୍କ ମଧ୍ୟରୁ ଅନ୍ୟତମ । ‘ଫିଲ୍ଡ ଅଫ୍ ଡ୍ରିମ୍ସ’, ‘ଦି ଗ୍ରେଟ୍ ହ୍ୱାଇଟ୍ ହୋପ୍‌’ ଏବଂ ‘ରୁଟ୍ସ୍‌: ଦି ନେକ୍ଟ ଜେନେରେସନ୍‌’ ଭଳି ଫିଲ୍ମରେ ନିଜ ଯୋଗଦାନ ପାଇଁ ବେଶ ଜଣାଶୁଣା । ସେ ୨ଟି ଏମି, ଗୋଟିଏ ଗୋଲ୍ଡେନ୍ ଗ୍ଲୋବ୍‌, ୨ଟି ଟୋନୀ ଆୱାର୍ଡ଼, ଗୋଟିଏ ଗ୍ରାମୀ, ନ୍ୟାସନାଲ ମେଡାଲ ଅଫ୍ ଆଟ୍ସ ଏବଂ କେନେଡୀ ସେଣ୍ଟର ଅନର୍ସ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ୨୦୨୨ରେ ତାଙ୍କ ସମ୍ମାନରେ ଏକ ବ୍ରଡୱେ ଥିଏଟରର ନାଁ ପରିବର୍ତ୍ତନ କରାଯାଇଥିଲା । ତାଙ୍କ ନିଧନ ହଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ତାଙ୍କ ବିୟୋଗ ପରିବାର ଏବଂ ପ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛି ।

Get real time updates directly on you device, subscribe now.