ନୂଆଦିଲ୍ଲୀ: ସମ୍ବିଧାନ ବିନା କୌଣସି ରାଷ୍ଟ୍ରର କଳ୍ପନା କରିବା ଅସମ୍ଭବ । ଭାରତୀୟ ସମ୍ବିଧାନ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାର୍ବଭୌମତ୍ୱ, ସମାଜବାଦୀ, ଧର୍ମନିରପେକ୍ଷ ଓ ଲୋକତାନ୍ତ୍ରିକ ଗଣରାଜ୍ୟର ସ୍ଥାପନ କରିବା । ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ । ସେହିପରି ଦେଶ ପ୍ରତି ପ୍ରତ୍ୟେକ ନାଗରିକଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଛି । ଜଣେ ନାଗରିକ ହିସାବରେ ଆପଣଙ୍କୁ ଏହି ସବୁ କର୍ତ୍ତବ୍ୟର ପାଳନ କରିବା ଉଚିତ ।
୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସେହିଦିନଠାରୁ ପ୍ରତିବର୍ଷ ଏହି ଦିବସକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଇ ଆସୁଅଛି । ଏଥର ସାରା ଭାରତବର୍ଷ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ । ୨୨ଟି ଭାଗରେ ବଣ୍ଟନ ହୋଇଥିବା ଭାରତୀୟ ସମ୍ବିଧାନର ଭାଗ-୩ରେ ନାଗରିକଙ୍କ ମୌଳିକ ଅଧିକାର ବିଷୟରେ ବର୍ଣ୍ଣନା କରାଯାଇଛି । ଭାଗ-୪ରେ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବିଷୟରେ କୁହାଯାଇଛି । ପ୍ରତ୍ୟେକ ନାଗରିକ ଏହି ସମସ୍ତ କର୍ତ୍ତବ୍ୟ ପାଳନ କରିବା ଉଚିତ । ମାତ୍ର ଏଠାରେ ପ୍ରଶ୍ନ ଉଠେ, ଯଦି ଜଣେ ନାଗରିକ ଏହି କର୍ତ୍ତବ୍ୟକୁ ପାଳନ କରିବେ ନାହିଁ, ତେବେ ତାଙ୍କ ପ୍ରତି ସମ୍ବିଧାନର କ’ଣ ଦଣ୍ଡ ବା ଜରିମାନା ନିର୍ଦ୍ଧାରିତ ହୋଇଛି ।
ମୌଳିକ କର୍ତ୍ତବ୍ୟର ଉଦ୍ଦେଶ୍ୟ ହେଉଛି ନାଗରିକ ହୃଦୟରେ ରହିଥିବା ଦେଶପ୍ରୀତିକୁ ଜାଗ୍ରତ କରିବା । ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସଂସଦରେ କହିଥିଲେ, ଯଦି ଦେଶର ନାଗରିକମାନେ ମୌଳିକ କର୍ତ୍ତବ୍ୟକୁ କେବଳ ନିଜର ମସ୍ତିଷ୍କରେ ରଖିପାରିବେ, ତେବେ ଜଣେ ସଙ୍ଗେସଙ୍ଗେ ଶାନ୍ତିର କ୍ରାନ୍ତି ଅନୁଭବ କରିବେ । ବାସ୍ତବରେ, ଯଦି କୌଣସି ଭାରତୀୟ ନାଗରିକ ମୌଳିକ କର୍ତ୍ତବ୍ୟକୁ ଅମାନ୍ୟ କରନ୍ତି, ତେବେ ତାହା ଆଇନ ଦୃଷ୍ଟିରୁ ଦଣ୍ଡନୀୟ ।
ଜାତୀୟ ପତାକାକୁ ସମ୍ମାନ କରିବା ମଧ୍ୟ ଆମର କର୍ତ୍ତବ୍ୟ । ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମ ୧୯୭୧ ଓ ଭାରତୀୟ ପତାକା ସଂହିତା ୨୦୨୧ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ । ଯଦି କୌଣସି ବ୍ୟକ୍ତି ଜାତୀୟ ପତାକାକୁ ଅପମାନ କରନ୍ତି, ଜଳାନ୍ତି, ଦୂଷିତ କରନ୍ତି, ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ତିନି ବର୍ଷର ଜେଲଦଣ୍ଡ ବା ଜରିମାନା ଭୋଗିବାକୁ ପଡ଼ିପାରେ । ଅନୁରୂପ ଭାବେ ସାର୍ବଜନିକ ସମ୍ପତ୍ତିକୁ ସୁରକ୍ଷା କରିବା ମଧ୍ୟ ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ । ସାର୍ବଜନିକ ସମ୍ପତ୍ତି ନଷ୍ଟ କଲେ ଜଣଙ୍କୁ ଦେଶଦ୍ରୋହ ଅପରାଧରେ ଦଣ୍ଡିତ କରାଯିବା ନିମନ୍ତେ ନିୟମ ରହିଛି ।