ଚାହା ପିଅନ୍ତୁ କପ୍ ଖାଆନ୍ତୁ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହାର ଅର୍ଥ କ’ଣ ?

ଆଜି କାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଅଜବ ଅଜବ ଘଟଣା ଭାଇରାଲ ହେଉଛି । କିଏ ଗୀତ ଗାଇ ଭାଇରାଲ ହେଉଛି ତ ଆଉ କିଏ କମେଡି କରି ଭାଇରାଲ ହେଉଛି । କିନ୍ତୁ ଆପଣ କେବେ କେଉଁଠି ଏପରି ଚାହା ଦୋକାନ ବିଷୟରେ ଶୁଣିଛନ୍ତି ? ଯେଉଁଠି ଚାହା ପିଇ ସାରିବା ପରେ ଚାହା କପକୁ ମଧ୍ୟ ଖାଇବାକୁ ପଡିଥାଏ । ତେବେ ଏଠାକାର ଲୋକେ ମଧ୍ୟ ଖୁବ ଆନନ୍ଦର ସହିତ ଚାହା ପିଇ ସାରି ଏହି କପକୁ ଖାଇଥାନ୍ତି । ଆପଣ ଭାବୁଥିବେ ଏହା କିପରି ସମ୍ଭବ !! ଭାରତର ମଧ୍ୟପ୍ରଦେଶ ରାଜ୍ୟରେ ପ୍ରକୃତରେ ଏପରି ହିଁ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ପୁରା ଘଟଣା ।

ପ୍ରକୃତରେ ପ୍ଲାଷ୍ଟିକ ବ୍ୟାନ ହେବା ପରେ ଇନ୍ଦୋରର ଜଣେ ଚାହା ଦୋକାନୀ କିଛି ନୂଆ କରିବାକୁ ଇଚ୍ଛା କରିଥିଲେ । ଏହାପରେ ସେ ଏକ ସୁନ୍ଦର ଉପାୟ ବାହାର କରିଲେ ଓ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଲେ । ତେବେ ଏହି ଚାହା ଦୋକାନୀ ଜଣଙ୍କ ଚାହା କପକୁ ଚାଉଳ ଓ ସୋୟାବିନରେ ପ୍ରସ୍ତୁତ କରିଛନ୍ତି । ତେବେ ଏହିପରି କପ୍ କେବଳ ଇନ୍ଦୋରରେ ନୁହେଁ ବରଂ ଗୁଜୁରାଟର ବଡୋଦରାରେ ମଧ୍ୟ ହୋଇଥାଏ । ଏଠାରେ ଚାହା କପ୍ ଗହମରେ ପ୍ରସ୍ତୁତ ହୋଇଥାଏ ଏବଂ ଏହାର ଚାରିପାଖେ ଚକୋଲେଟ କୋଟିଙ୍ଗ ହୋଇଥାଏ ।

ଲୋକଙ୍କୁ ଏହିପରି ଅଭିନବ ଉପାୟ ଖୁବ୍ ପସନ୍ଦ ଆସିବା ସହ ଏହା ପରିବେଶକୁ ରକ୍ଷା କରିଥାଏ । ଏଥିସହିତ ଏହିପରି ଗ୍ଲାସ ରୋଜଗାର ସୁଯୋଗକୁ ମଧ୍ୟ ବୃଦ୍ଧି କରୁଛି । ତେବେ ଏହି ଦୋକାନୀମନେ ଡିସ୍ପୋଜାଲ ଗ୍ଲାସର ସୁନ୍ଦର ବିକଳ୍ପ ଖୋଜି ବାହାର କରିଛନ୍ତି । ଯାହାକୁ ଲୋକେ ପସନ୍ଦ କରିବା ସହ ଚାହା ପିଇ ସାରି ଗ୍ଲାସକୁ ବିସ୍କୁଟ ପରି ଖାଇ ପାରୁଛନ୍ତି ।

ତେବେ ସୋସିଆଲ ମିଡିଆରେ ‘ଚାହା ପିଅନ୍ତୁ ଓ କପ୍ ଖାଆନ୍ତୁ’ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରକାର କପରେ ଚାହା ପିଇବାକୁ ପସନ୍ଦ କରୁଛନ୍ତି ।