fbpx

ଲୋକସଭାରେ କେଉଁ ଦୁଇଜଣ ସାଂସଦ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିଲେ ଓ କାହିଁକି?

Advertisement

ନୂଆଦିଲ୍ଲୀ: ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ଆଜି ଲୋକସଭା ଓ ରାଜ୍ୟସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ଭୋଟ ହୋଇଥିଲା । ଲୋକସଭାରେ ଏହି ବିଲକୁ ଅଧିକ ଦଳ ସମର୍ଥନ କରିଥିବା ବେଳେ ସପକ୍ଷରେ ୪୫୪ଟି ଭୋଟ ପଡ଼ିଥିଲା । ଅନ୍ୟପକ୍ଷରେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା । ଲୋକସଭାରେ ଏହି ବିଲ ପାସ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତ କରିଥିଲେ ।

ଯେଉଁମାନେ ଏହି ବିଲର ସମର୍ଥନରେ ମତଦାନ କରିଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ସଚିବ ପଦରେ ଅନ୍ୟ ପଛୁଆ ବର୍ଗ (ଓବିସି) ଅଧିକାରୀଙ୍କୁ ଦିଆଯାଉ ନଥିବା ନେଇ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇଥିଲେ । ସମସ୍ତ ବିପକ୍ଷ ଦଳ ଏହି ବିଧେୟକଙ୍କୁ ସ୍ୱାଗତ କରିଥିଲେ । ତେବେ ଏହି ପ୍ରକ୍ରିୟା ପାଇଁ ବହୁ ସମୟ ଲାଗିବ । ତେଣୁ ଏହାକୁ ୨୦୨୯ ପୂର୍ବରୁ ଲାଗି କରିହେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ।

ରାହୁଲଙ୍କ ପ୍ରଶ୍ନର ଉତ୍ତରରେ ଶାହ କହିଥିଲେ, ବିଜେପିର ୮୫ ଜଣ ଓବିସି ସାଂସଦ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ଓବିସି । ଏଥିସହିତ ୨୯ ଜଣ କେନ୍ଦ୍ରମନ୍ତ୍ରୀ ଓବିସି ହେବା ସହ ଦେଶର ବିଧାନସଭାରେ ପାଖାପାଖି ୨୭ ପ୍ରତିଶତରୁ ଅଧିକ ବିଜେପି ବିଧାୟକ ମଧ୍ୟ ଓବିସି ସମ୍ପ୍ରଦାୟରୁ ଆସୁଛନ୍ତି । ତେବେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଓ ତାଙ୍କ ଦଳର ସାଂସଦ ଇମତିଆଜ ଜଳିଲ ଲୋକସଭାରେ ଏହି ବିଲକୁ ବିରୋଧ କରିଥିଲେ । ଯଦି ଅଧିକ ସଂଖ୍ୟକ ମହିଳାଙ୍କୁ ଲୋକସଭା ଓ ବିଧାନସଭାକୁ ପଠାଇବା ପାଇଁ ଏହି ବିଲ ଅଣାଯାଇଛି ତେବେ ଓବିସି ଓ ମୁସଲିମ ମହିଳାଙ୍କ ପାଇଁ ତାହା କାହିଁକି କରାଯାଇନାହିଁ ବୋଲି ଓୱେସି ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.