fbpx

କଶ୍ମୀର ବିରୋଧରେ ବିଷ ଓଗାଳୁଥିବା ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ଉପରେ ଛାଇଲା ସଙ୍କଟ, କ୍ଷମତାରୁ ହେବେ ବେଦଖଲ !

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ ବୟାନ ଦେଉଥିବା ତୁର୍କୀର ରାଷ୍ଟ୍ରପତି ରଜବ ତଇପ ଏର୍ଦୋଗାନ ଏବେ ସଙ୍କଟରେ । ତାଙ୍କ ହାତରୁ ଯାଇପାରେ ରାଷ୍ଟ୍ରପତି ପଦ । ତାଙ୍କୁ ଏବଂ ତାଙ୍କ ପାର୍ଟିକୁ କ୍ଷମତାରୁ ବିତାଡିତ କରିବା ପାଇଁ ତୁର୍କୀର ଛଅ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । ଦେଶରେ ୨୦୨୩ରେ ନିର୍ବାଚନ ହେବାକୁ ଯାଉଛି । ମାତ୍ର ନିର୍ବାଚନ ପୂର୍ବରୁ ଓପିନିୟନ ପୋଲ୍ ଅନୁଯାୟୀ, କ୍ଷମତାସୀନ ଦଳ ପ୍ରତି ମେଣ୍ଟ ଦଳର ସମର୍ଥନ କମିବାରେ ଲାଗିଛି । ଏଥିରେ ଏର୍ଦୋଗାନଙ୍କ ଉପରେ ଚାପ ବଢିବାରେ ଲାଗିଛି ।

ବିରୋଧୀ ଦଳ ଏହି ନୂତନ ମେଣ୍ଟକୁ ଆହୁରି ମଜବୁତ ଏବଂ ବ୍ୟାପକ କରିବାରୁ ୨୦୧୯ ସ୍ଥାନୀୟ ନିର୍ବାଚନରେ ଏର୍ଦୋଗାନଙ୍କୁ ଝଟକା ମିଳିଥିଲା । ଏହି ବୈଠକରେ ସ୍ଥିର କରାଯାଇଛି ଯେ, ଏର୍ଦୋଗାନଙ୍କ ବିରୋଧରେ ଏକ ସିଦ୍ଧାନ୍ତରେ ଉପନ୍ନିତ ହେବା ପାଇଁ ଏକ ସାପ୍ତାହିକ ବୈଠକ କରାଯିବ ।

ବିବିସି ରିପୋର୍ଟ ଅନୁଯାୟୀ, ତୁର୍କୀରେ ବିରୋଧୀ ଦଳ ଏମିତି କିଛି କରିବାକୁ ଉଦ୍ୟମ ଚଳାଇଛନ୍ତି, ଯାହା ପୂର୍ବେ କେବେ ହୋଇ ନାହିଁ । ସେମାନେ ପ୍ରଥମ ଥର ସରକାରଙ୍କ ମୁହାଁମୁହିଁ ହେବାକୁ ଏକଜୁଟ ହୋଇଛନ୍ତି । ଦରବୃଦ୍ଧି, ବେରୋଜଗାରୀ, କରୋନା ମହାମାରୀ, ଜଙ୍ଗଲରେ ନିଆଁ ଲାଗିବା, ବନ୍ୟା ଏବଂ ଆର୍ଥିକ ସଙ୍କଟର ମୁକାବିଲା ଆଦି ପ୍ରସଙ୍ଗରେ ଏର୍ଦୋଗାନ ସରକାରଙ୍କ ବହୁ ସମାଲୋଚନା କରାଯାଇଛି । ଏହି କାରଣରୁ ତାଙ୍କ ସମର୍ଥନରେ ବହୁତ ହ୍ରାସ ଘଟିଛି ।

ଓପିନିୟନ ପୋଲ୍ ଅନୁସାରେ, ଏର୍ଦୋଗାନଙ୍କ ପାର୍ଟିକୁ ପ୍ରାୟ ୩୧ ରୁ ୩୩ ପ୍ରତିଶତ ଭୋଟ୍ ମିଳୁଥିବା ଜଣା ପଡିଛି । ଯାହା ୨୦୧୮ରେ ସଂସଦୀୟ ନିର୍ବାଚନ ତୂଳନାରେ ବହୁତ କମ । ଏହି ସମୟରେ ତାଙ୍କ ପାର୍ଟିକୁ ୪୨.୬ ପ୍ରତିଶତ ମତଦାନ ମିଳିଥିଲା । ତାଙ୍କର ସହଯୋଗୀ ଦଳ ରାଷ୍ଟ୍ରବାଦୀ ପାର୍ଟିର ଭୋଟ୍ ପ୍ରତିଶତ ମଧ୍ୟ ହ୍ରାସ ପାଇଛି । ୨୦୧୮ରେ ଏହି ଦଳକୁ ୧୧.୧ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଏବେ ୮ ରୁ ୯ ପ୍ରତିଶତ ଭୋଟ୍ ମିଳୁଥିବା ପୂର୍ବାନୁମାନରୁ ଜଣା ପଡିଛି । ଯଦି ଓପିନିୟନ ପୋଲ୍ ଅନୁଯାୟୀ ନିର୍ବାଚନର ଫଳାଫଳ ସାମ୍ନାକୁ ଆସେ ତେବେ ଏର୍ଦୋଗାନଙ୍କ କ୍ଷମତାକୁ ଫେରିବା ମୁସ୍କିଲ ହୋଇଯିବ ।

ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନ ପାକିସ୍ତାନର ନିକଟତର ସହଯୋଗୀ । କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେ ଲଗାତାର ଭାରତର ସମାଲୋଚନା କରି ଆସିଛନ୍ତି । ସେ ପାକିସ୍ତାନ ପକ୍ଷରୁ ଯୁକ୍ତି ବାଢି କଶ୍ମୀରକୁ ନେଇ ଭାରତ ବିରୋଧୀ ବୟାନ ଦେଇଥିଲେ । ଏପରିକି ରାଜ୍ୟକୁ ପୁନର୍ବାର ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରିଥିଲେ ।

Get real time updates directly on you device, subscribe now.