fbpx

ମହିଳା କ୍ରିକେଟ୍‌ ବିଶ୍ୱକପ୍‌: ଆଜି ଭାରତ ପାଇଁ ‘କର ବା ମର’ ପରିସ୍ଥିତି, ଜିତିଲେ ସେମିଫାଇନାଲ୍, ହାରିଲେ ବିଶ୍ୱକପରୁ ବିଦାୟ

ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ କର ବା ମର ପରିସ୍ଥିତି । ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ହାରିଲେ ବିଶ୍ୱକପରୁ ବିଦାୟ ହେବାକୁ ପଡିବ । ଜିତିଲେ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ସଂପ୍ରତି ନ୍ୟୁଜିଲାଣ୍ଡରେ ଚାଲିଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପର ଶେଷ ଲିଗ ମ୍ୟାଚରେ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଏହି ମ୍ୟାଚ ଜିତିବା ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ସେମିଫାଇନାଲ ଖେଳିବା ପାଇଁ ଆହୁରି ତିନି ଦଳ ପ୍ରତିଦ୍ୱନ୍ଦ୍ୱିତା ଦୌଡରେ ସାମିଲ ହୋଇଥିବା ଦୃଷ୍ଟିରୁ ଭାରତ ଯେ କୌଣସି ମୂଲ୍ୟ ଦେଇ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଜିତିବାକୁ ପଡିବ ।

ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ବର୍ଷା ବାଧାପ୍ରାପ୍ତ ଗତ ଲିଗ ମ୍ୟାଚର ଫଳାଫଳ ଫଇସଲା ହୋଇ ନ ପାରିବାରୁ ୱେଷ୍ଟଇଣ୍ଡିଜକୁ ଚକମା ଦେଇ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ ଖେଳିବା ପାଇଁ ସ୍ଥାନ ପକ୍କା କରି ନେଇଛି । ତେଣୁ ସଂପ୍ରତି ପଞ୍ଚମ ସ୍ଥାନରେ ଥିବା ଭାରତ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫିକାକୁ ହରାଇ ପାରିଲେ ତୃତୀୟ ଦଳ ଭାବେ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରି ପାରିବ । ଭାରତ ଖେଳିଥିବା ୬ ଲିଗ ମ୍ୟାଚ ମଧ୍ୟରୁ ତିନି ମ୍ୟାଚରେ ବିଜୟୀ ହୋଇ ଥିବା ବେଳେ ତିନି ମ୍ୟାଚରେ ପରାସ୍ତ ହୋଇ ୬ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛି । ଭାରତୀୟ ଦଳ ବ୍ୟାଟିଂ ବିଫଳତା କାରଣରୁ ତିନି ମ୍ୟାଚରେ ହାର ମାନିବାକୁ ପଡିଥିଲା । ତେଣୁ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ଲାଇନଅପକୁ ସଠିକ ମୁକାବିଲା କରି ପାରିଲେ ଶେଷ ଲିଗ ମ୍ୟାଚରେ ସଫଳ ହେବା ପାଇଁ ଆଶା ସଞ୍ଚାର କରି ପାରିବ ।

ତେବେ ଚଳିତ ବିଶ୍ୱକପରେ ଅତି ଭଲ ପ୍ରଦର୍ଶନ କରି ଆସୁଥିବା ଦକ୍ଷିଣ ଆଫ୍ରିକା ବିଜୟ ସୁଯୋଗ ହାତ ଛଡା କରିବାକୁ ଚାହୁଁ ନ ଥିବା ବେଳେ ଭାରତ ପାଇଁ ଏହି ମ୍ୟାଚ ବହୁତ ବଡ ଚାଲେଞ୍ଜ ସୃଷ୍ଟି କରିବ । ତେଣୁ ବ୍ୟାଟିଂ,ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଦଳ ଉଚ୍ଚ କୋଟୀର ପ୍ରଦର୍ଶନ କରିବାକୁ ପଡିବ । ଅନ୍ୟ ପକ୍ଷରେ ଇଂଲଣ୍ଡ ପ୍ରଥମ ପର୍ଯ୍ୟୟର ତିନି ଲିଗ ମ୍ୟାଚରେ ଲଗାତର ପରାଜୟ ସ୍ୱିକାର କରିବା ପରେ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରି ଶେଷ ତିନି ଲିଗ ମ୍ୟାଚରେ କ୍ରମାଗତ ବିଜୟ ହାସଲ କରି ସେମିଫାଇନାଲ ଖେଳିବା ଦୌଡରେ ସାମିଲ ହୋଇଛି । ଶେଷ ଲିଗ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କଲେ ଇଂଲଣ୍ଡ ଶେଷ ଚାରି ଦଳ ମଧ୍ୟରେ ସାମିଲ ହୋଇ ପାରିବ । ତେଣୁ ସେମିଫାଇନାଲ ଖେଳିବା ପାଇଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହିତ ଅନ୍ୟ କେଉଁ ଦଳ ଯୋଗ୍ୟତା ହାସଲ କରିବେ, ତାହା ଅପେକ୍ଷାର ବିଷୟ । ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟ ସେମିଫାଇନାଲ ଖେଳିବା ପାଇଁ ଆଶାୟୀ ଥିବା ବେଳେ ଲିଗ ପର୍ଯ୍ୟାୟରେ ଦୂର୍ବଳ ପ୍ରଦର୍ଶନ କରି ଆଶଙ୍କାରେ ପଡିଛି ।

Get real time updates directly on you device, subscribe now.