fbpx

ଇତିହାସ ରଚିଲା ମହିଳା ଟେନିସ: ଚୀନକୁ ହରାଇ ଭାରତ ପହଞ୍ଚିଲା ସେମିରେ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ସପ୍ତମ ଦିବସ । ଆଜି ଭାରତୀୟ ସ୍କ୍ୱାଶ ଟିମ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ସୌରଭ ଘୋଷାଲ ମ୍ୟାଚକୁ ୧-୧ରେ ଟାଇ ରଖିବା ପରେ ଚେନ୍ନାଇର ଅଭୟ ସିଂହ ନିର୍ଣ୍ଣାୟକ ମ୍ୟାଚରେ ୩-୨ ପଏଣ୍ଟରେ ଜିତି ଭାରତକୁ ବିଜୟୀ କରାଇଥିଲେ । ସେହିପରି ପୁରୁଷ ଟେନିସରେ ରୋହନ ବୋପନ୍ନା ଓ ଋତୁଜା ଭୋସଲେ ଯୋଡ଼ି ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ତେବେ ଏହା ମଧ୍ୟରେ ଏସୀୟ କ୍ରୀଡ଼ାରେ ପୁଣି ଏକ ଇତିହାସ ରଚିଛି ଭାରତ । ମହିଳା ଟେନିସ ଯୋଡ଼ି ପୁଣି ଏକ ପଦକ ସୁନିଶ୍ଚିତ କରିଛନ୍ତି । ଚୀନକୁ ୩-୧ରେ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଆୟହିକା ମୁଖର୍ଜୀ ଓ ସୁତୀର୍ଥା ମୁଖର୍ଜୀ ଏହି ସଫଳତା ଆଣିଛନ୍ତି । ଏହା ଫଳରେ ଭାରତ ଏସୀୟ କ୍ରୀଡ଼ାରେ ମହିଳା ଡବଲ୍ସରେ ପ୍ରଥମ ପଦକ ସୁନିଶ୍ଚିତ କରିଛି ।

ବିଶ୍ୱର ଦୁଇ ନମ୍ବର ସ୍ଥାନରେ ରହିଥିବା ଚୀନକୁ ହରାଇବା ଭାରତୀୟ ମହିଳା ଟେନିସ ଟିମ୍ ପାଇଁ ନିଶ୍ଚିତ ଭାବେ ଏକ ଗର୍ବର ବିଷୟ । କ୍ୱାର୍ଟର ଫାଇନାଲରେ ଭାରତ ଜିତି ସେମିରେ ପ୍ରବେଶ କରିବା ପରେ ଏବେ ଭାରତ ଏହି ଇଭେଣ୍ଟରେ ଏକ ପଦକ ସୁନିଶ୍ଚିତ କରିଛି । ଭାରତୀୟ ମହିଳା ଯୋଡ଼ି ଚୀନର ମେଙ୍ଗ ଚେନ ଓ ୟିଦି ୱାଙ୍ଗଙ୍କୁ କ୍ୱାର୍ଟର ଫାଇନାଲରେ ୧୧-୫, ୧୧-୫, ୫-୧୧, ୧୧-୯ରେ ପରାସ୍ତ କରିଥିଲେ । ଭାରତୀୟ ଯୋଡ଼ି ଏବେ ବିଶ୍ୱ ରାଙ୍କିଂରେ ୧୬ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.