ଭାରତ ଓ ଇରାନ ମଧ୍ୟରେ ଚବାହର ବନ୍ଦର ଚୁକ୍ତି: ଆମେରିକା-ଚୀନ-ପାକିସ୍ତାନର ଚିନ୍ତା ବଢ଼ିଲା କାହିଁକି, ଜାଣନ୍ତୁ ୫ଟି ବଡ଼ ପଏଣ୍ଟ
ନୂଆଦିଲ୍ଲୀ: ଭାରତ ଓ ରାନ ମଧ୍ୟରେ ଚବାହାର ପୋର୍ଟକୁ ନେଇ ଏକ ଦୀର୍ଘକାଳୀନ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଫଳରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଇରାନର ଚବାହର ପୋର୍ଟର କାର୍ଯ୍ୟର ଦାୟିତ୍ୱ ଭାରତ ସମ୍ଭାଳିବ । ତେବେ ଏହି ଡିଲକୁ ନେଇ ଚୀନ ଓ ପାକିସ୍ତାନର ଚିନ୍ତା ବଢ଼ିଯାଇଥିବା ବେଳେ ଆମେରିକା ମଧ୍ୟ ଏହାକୁ ନେଇ ଚେତାବନୀ ଦେଇଛି । କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଇରାନ ସହିତ ହୋଇଥିବା ଚୁକ୍ତି ବିଷୟରେ ସୂଚନା ଦେଇଛନ୍ତି । ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଚାବହରର ଶାହିଦ ବହିସ୍ତୀ ଟର୍ମିନାଲକୁ ଭାରତ ପରିଚାଳନା କରିବ । ଭାରତ-ଇରାନର ସମ୍ବନ୍ଧ ଓ ଆଞ୍ଚଳିକ ସଂଯୋଗ କ୍ଷେତ୍ରରେ ଏହି ବୁଝାମଣାକୁ ସେ ଏକ ଐତିହାସିକ ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି ।
ଏହି ବୁଝାମଣା ଭାରତର ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ) ଓ ଇରାନର ପୋର୍ଟସ ଆଣ୍ଡ ମେରିଟାଇମ ଅର୍ଗାନାଇଜେସନ (ପିଏମ) ମଧ୍ୟରେ ହୋଇଛି । ଭାରତ ବାହାରେ ବନ୍ଦର କାର୍ଯ୍ୟକୁ ଅପରେଟ କରିବାକୁ ଆଇଜିପିଏଲକୁ ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ପାଇଁ ଭାରତ ବିଦେଶରେ କୌଣସି ବନ୍ଦରର ଦାୟିତ୍ୱ ସମ୍ଭାଳିବ । ତେବେ ଇରାନ ସହିତ ଏହି ଚୁକ୍ତି ପରେ ଆମେରିକାର ଟେନସନ ବଢ଼ିଯାଇଛି । ଇରାନ ସହିତ ବିଜିନେସ ଡିଲ୍ କରୁଥିବା କୌଣସି ବି ଦେଶକୁ ‘କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଛି ।
୧- ଏହି ଡିଲ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସେନୋୱାନ ଇରାନ ଯାଇଥିଲେ । ଏହି ବୁଝାମଣା ଫଳରେ ଆଞ୍ଚଳିକ ସଂଯୋଗ ବୃଦ୍ଧି ସହିତ ଭାରତ ପାଇଁ ଆଫଗାନିସ୍ତାନ ଓ ମଧ୍ୟ ଏସିଆ ପର୍ଯ୍ୟନ୍ତ ରାସ୍ତା ଖୋଲିଯିବ । ଏହି ଡିଲ ଅନୁସାରେ, ଭାରତର ଆଇପିଜିଏଲ ୧୨ କୋଟି ଡଲାରର ନିବେଶ କରିବ । ଏଥିସହିତ ୨୫ ହଜାର କୋଟିର ଲୋନ ମଧ୍ୟ ଦିଆଯିବ । ଏପରି ଭାବେ ମୋଟ ୩୭ ହଜାର କୋଟିର ବୁଝାମଣା କରାଯାଇଛି । ଚବାହର ପୋର୍ଟକୁ ନେଇ ୨୦୧୬ରେ ଭାରତ-ଇରାନ ମଧ୍ୟରେ ବୁଝାମଣା ହୋଇଥିବା ବେଳେ ଏବେ ନୂଆ ବୁଝାମଣା ତା’ର ସ୍ଥାନ ନେବ ।
୨- ଚବାହର ଇରାନର ଦକ୍ଷିଣ ଉପକୂଳରେ ସିସ୍ତାନ-ବଲୁଚିସ୍ତାନର ପ୍ରାନ୍ତ ପଡ଼ୁଛି । ଇରାନର ଚବାହର ପୋର୍ଟ ଗୁଜରାଟର କାଣ୍ଡଲା ପୋର୍ଟ ଠାରୁ ଏକ ହଜାର ଓ ମୁମ୍ବାଇ ଠାରୁ ୧୫୦୦ କିମି ଦୂରରେ ରହିଛି । ଚବାହର ପୋର୍ଟରେ ଦୁଇଟି ଟର୍ମିନାଲ ଶାହିଦ କଲନ୍ତରୀ ଓ ଶାହିଦ ବାହିସ୍ତୀ ରହିଛି । ୨୦୦୩ରେ ଭାରତ ଓ ଇରାନ ମଧ୍ୟରେ ଚବାହର ପୋର୍ଟକୁ ନେଇ ବୁଝାମଣା ହୋଇଥିଲା । ଏହାପରେ ୨୦୧୬ରେ ପିଏମ୍ ନରେନ୍ଦ୍ର ମୋଦୀ ଇରାନ ଗସ୍ତ ପରେ ୫୫ ହଜାର କୋଟିର ନିବେଶ ପାଇଁ ଘୋଷଣା କରିଥିଲେ ।
୩- ୨୦୧୮ ମସିହା ଶେଷ ଆଡ଼କୁ ଭାରତର ଆପିଜିଏଲ ଏହି ପୋର୍ଟର କାର୍ଯ୍ୟ ସମ୍ଭାଳିଥିଲା । ଏହି ପୋର୍ଟ ଜରିଆରେ ଭାରତ ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନକୁ ୨୫ ଲକ୍ଷ ଗହମ ଓ ୨ ହଜାର ଟନ ଡାଲି ପଠାଇ ସାରିଛି । ଚବାହର ପୋର୍ଟକୁ ଲୋକେସନ ଓ ରଣନୀତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ମନେ କରାଯାଉଛି । ଚବାହର ପୋର୍ଟ ପାକିସ୍ତାନର ସୀମାକୁ ଲାଗିଛି ଓ ତାହା ପାକିସ୍ତାନରେ ନିର୍ମାଣ ହେଉଥିବା ଗ୍ୱାଦର ପୋର୍ଟ ନିକଟରେ ରହିଛି । ଚୀନ ଯେତେବେଳେ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍ ଅଧିନରେ ଗ୍ୱାଦର ପୋର୍ଟର କାମ ଆରମ୍ଭ କରିଥିଲା, ସେ ସମୟରେ ଆପେଆପେ ଚବାହର ପୋର୍ଟର ଗୁରୁତ୍ୱ ବଢ଼ିଯାଇଥିଲା ।
୪- ଏହି ପୋର୍ଟର ସବୁଠାରୁ ବଡ଼ ଗୁରୁତ୍ୱ ଏହା ଯେ, ଭାରତ, ପାକିସ୍ତାନକୁ ବାଇପାସ କରି ଇରାନ ଓ ମଧ୍ୟ ଏସିଆ ପର୍ଯ୍ୟନ୍ତ ପହଞ୍ଚି ପାରିବ । ଏଥିସହିତ ଚବାହର ପୋର୍ଟକୁ ଇଣ୍ଟରନ୍ୟାସନାଲ ନର୍ଥ-ସାଉଥ ଟ୍ରାନ୍ସପୋର୍ଟ କରିଡର (ଇନଏସଟିସି) ସହ ମଧ୍ୟ ଯୋଡ଼ାଯାଇ ପାରିବ । ଏହି କରିଡର ମାଧ୍ୟମରେ ଭାରତ ଇରାନ, ଆଫଗାନିସ୍ତାନ, ଆର୍ମେନିଆ, ଅଜରବୈଜନ, ଋଷ, ମଧ୍ୟ ଏସିଆ ଓ ୟୁରୋପ ପର୍ଯ୍ୟନ୍ତ ଜାହାଜ, ରେଲ ଓ ସଡ଼କକୁ ୭,୨୦୦ କିମିର ଲମ୍ବା ନେଟୱାର୍କ ପ୍ରସ୍ତୁତ କରାଯାଇ ପାରିବ । ଫଳରେ ଭାରତ ୟୁରୋପ ଓ ଋଷ ପର୍ଯ୍ୟନ୍ତ ପହଞ୍ଚିବା ସହଜ ହୋଇପାରିବ ।
୫- ଆମେରିକା ଓ ଇରାନ ମଧ୍ୟରେ ଗତ କିଛି ଦଶନ୍ଧି ମଧ୍ୟରେ ସମ୍ପର୍କ ଭଲ ରହିନଥିବା ବେଳେ ଏହି ବୁଝାମଣା ପରେ ଆମେରିକା ଚିନ୍ତିତ ହୋଇ ପଡ଼ିଛି । ଏହି ଚୁକ୍ତି ପରେ ଚୀନ ଓ ପାକିସ୍ତାନକୁ ଝଟକା ଲାଗିଥିବା କୁହାଯାଉଛି । ଗ୍ୱାଦର ପୋର୍ଟ ଓ ଚବାହର ପାର୍ଟି ମଧ୍ୟରେ ସଡ଼କ ପଥରେ ୪୦୦ କିମି ଦୂର ହୋଇଥିବା ବେଳେ ସମୁଦ୍ରରେ ଏହାର ଦୂତା ପାଖାପାଖି ୧୦୦ କିମି ହେବ । ଗ୍ୱାଦର ପୋର୍ଟରେ ଚୀନର ଉପସ୍ଥିତି କାରଣରୁ ଚବାହର ପୋର୍ଟରେ ଭାରତକୁ ଫାଇଦା ମିଳିବ । ଭାରତ ଉଭୟ ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେଇ ପାରିବ ।