fbpx

ଇସ୍ତଫା ଦେଲେ ସାଂସଦ ସଞ୍ଜୀବ କୁମାର: YSRCPକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଏଥିସହିତ ଚଳିତ ବର୍ଷ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍, ମହାରାଷ୍ଟ୍ର, ହରିୟାଣା ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେନେଇ ପ୍ରମୁଖ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ନରେନ୍ଦ୍ର ମୋଦୀଙ୍କ ରଥକୁ ରୋକିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସଛି ଏକ ବଡ଼ ଖବର । ୱାଇଏସଆରସିପିକୁ ଲାଗିଛି ପୁଣି ଏକ ବଡ଼ ଝଟକା । ଦଳର ଜଣେ ସାଂସଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କୁରନୁଲ ଲୋକସଭା ଆସନର ସାଂସଦ ସଞ୍ଜୀବ କୁମାର ୱାଇଏସଆରସିପିରୁ ଇସ୍ତଫା ଦେଇଛନ୍ତି । ସେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଦଳର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ ଗତ ୪ ତାରିଖରେ କଂଗ୍ରେସରେ ସାମିଲ ହୋଇଛନ୍ତି । ତେଣୁ ଗୋଟିଏ ସପ୍ତାହ ମଧ୍ୟରେ ଦଳକୁ ଲାଗିଛି ଦୁଇଟି ବଡ଼ ଝଟକା ।

ସୂଚନାଯୋଗ୍ୟ ଯେ, ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧି, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଶର୍ମିଲା ହାତ ଧରିଥିଲେ । ନିକଟରେ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହିତ କଂଗ୍ରେସ ସରକାର ଗଠନ କରିଥିଲା । ତେଣୁ ଆନ୍ଧ୍ରପ୍ରଦେଶରେ ମଧ୍ୟ କଂଗ୍ରେସ ଅନୁରୂପ ଫର୍ମୂଲା ଲାଗୁ କରି ଶର୍ମିଲାଙ୍କୁ ନେଇ ଦଳ ଏକ ବଡ଼ ଗେମ୍ ଖେଳିପାରେ ବୋଲି ଅନୁମାନ କରାଯାଉଥିଲା । ତେବେ ପୁଣି ଜଣେ ସାଂସଦ ଦଳରୁ ଇସ୍ତଫା ଦେବା ଏବେ ଜଗନଙ୍କୁ ବଡ଼ ଝଟକା ଦେଇଛି ।

Get real time updates directly on you device, subscribe now.