fbpx

ଏଣିକି ଏସସିବି ମେଡିକାଲର ICU ରେ ବାଜିବ ଭଜନ, ରୋଗୀଙ୍କୁ ଦିଆଯିବ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି

ଓଡିଶା ଭାସ୍କର; ଏଣିକି କଟକ ଏସସିବି ମେଡିକାଲର ଆଇସିୟୁରେ ବାଜିବ ଭଜନ । ରୋଗୀଙ୍କୁ ଦିଆଯିବ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି । ଏନେଇ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି ଦେବା ପାଇଁ ଭଜନ ଗୀତ ବାଜିବ ବୋଲି ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଉଭୟ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ଆଇସିୟୁ ଭିତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବୋଲି କୁହାଯାଇଛି ।

ଏଠାରେ କହି ରଖୁଛୁ ଯେ, ଯେଉଁମାନେ ମସ୍ତିଷ୍କ ଆଘାତପ୍ରାପ୍ତ କିମ୍ବା ରୋଗ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥାନ୍ତି ସେମାନଙ୍କର ମସ୍ତିଷ୍କକୁ ଉଜ୍ଜିବୀତ କରିବାକୁ ହେଲେ ଷ୍ଟିମୁଲେଟ କରିବାକୁ ପଡିଥାଏ । ସେମାନଙ୍କ କାନ ଭିତର ଦେଇ ଯେତେବେଳେ ମ୍ୟୁଜିକ ମସ୍ତିଷ୍କକୁ ଯାଇଥାଏ, ଫଳରେ ସେଠାରେ ସମ୍ବେଦନ ସୃଷ୍ଟି ହୋଇଥାଏ । ଆଉ ଏହି ସମ୍ବେଦନର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡେ ବୋଲି ଜଣା ଯାଇଛି। ହାଲକା ସାଉଣ୍ଡରେ ମ୍ୟୁଜିକ ସିଷ୍ଟମ ବାଜିବା ଦ୍ୱାରା ଆଇସିୟୁରେ ରୋଗୀଙ୍କ ସହ ଏଠାରେ କାମ କରୁଥିବା ଡାକ୍ତର, କର୍ମଚାରୀଙ୍କୁ ମଧ୍ୟ ଚାପ କମ କରିବାରେ ସହାୟକ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଏଥିରେ କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ ବୋଲି ସୂଚନା ଦିଆଯାଇଛି । ଆସନ୍ତା ସପ୍ତାହେ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ମେଡିକାଲ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ବେଳେ ଆଗକୁ ସବୁ ବିଭାଗରେ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

Get real time updates directly on you device, subscribe now.