fbpx

ରାସ୍ତାରେ ଭ୍ୟାନ୍ ଛାଡ଼ି ଚମ୍ପଟ୍ ମାରିଲେ ଡ୍ରାଇଭର, ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ସହ ୨ ଭ୍ୟାନ୍‌ ଜବତ କଲା ଚାନ୍ଦପୁର ପୋଲିସ

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଦେଇ ଅନେକ ଚୋରା ବେଆଇନ୍‌ ବିଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଏହି ବେଆଇନ୍‌ ମଦ ଚାଲାଣ ରୋକିବାକୁ ଚାନ୍ଦପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାଶ ରାତ୍ରିକାଳୀନ ତନଖିକୁ କଡାକଡି କରିଥିଲେ। ବିଳମ୍ବିତ ରାତ୍ରିରେ ୧୬ନଂ ଜାତୀୟ ରାଜପଥ ଚମ୍ପାଗଡ ଛକରେ ତନଖି କରୁଥିବା ସମୟରେ ୨ ଗୋଟି ମାରୁତି ଭ୍ୟାନ୍‌ ତାରାଦେଇ ଛକରୁ ଭୁଷଣ୍ଡପୁର ଆଡକୁ ପୋଲିସ ଗାଡି ଦେଖି ଦ୍ରୁତଗତିରେ ପଳାଇଯାଉଥିବା ଥାନା ନିରୀକ୍ଷକ ଜାଣିବାକୁ ପାଇଥିଲେ । ଯାହାଫଳରେ ସେହି ୨ ଗୋଟି ମାରୁତି ଭ୍ୟାନ୍‌କୁ ପୋଲିସ ଗୋଡାଇଥିଲା । କିଛି ସମୟ ଛକ୍କା ପଞ୍ଚା ଚାଲିବା ପରେ ରାସ୍ତା ଉପରେ ମାରୁତି ଭ୍ୟାନ୍‌ ୨ଟିକୁ ଛାଡି ଡ୍ରାଇଭର ପଳାଇ ଯାଇଥିଲା । ପୋଲିସ ବିଦେଶୀ ମଦ ଓ ମାରୁତି ଭ୍ୟାନ୍‌ ଓ ଡି୦୨ୱାଇ ୯୯୪୩ ଓ ଓ ଡି ୦୨ସି ୧୧୭୯କୁ ଜବତ କରିଥିବା ଜଣାପଡିଛି । ଏ ବିଷୟରେ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଚାନ୍ଦପୁର ଥାନା ନିରୀକ୍ଷକଙ୍କ ସୂଚନା ଅନୁଯାୟୀ ଜବତ ହୋଇଥିବା ୧୧୫୨ ବୋତଲ ୩୯୨ ଲିଟର ବିଦେଶୀ ମଦର ଦାମ୍‌ ୩ ଲକ୍ଷ ୫୩ ହଜାର ଟଙ୍କା ବୋଲି ଜଣାପଡିଛି । ନୟାଗଡ ଜିଲ୍ଲାରେ ଏହା ବଡଧରଣର ମଦ ଜବତ ଘଟଣା ବୋଲି ନିରୀକ୍ଷକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.