ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ଥିବା ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସାଧାରଣ ଭାବେ ବ୍ୟାଙ୍କ ଆକାଉଣ୍ଟରେ ଗ୍ରାହକମାନେ ଜଣଙ୍କୁ ନୋମିନୀ ରଖିବାକୁ ସୁଯୋଗ ପାଇଥାନ୍ତି । ମାତ୍ର ଏଣିକି ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନୀ ଭାବେ ରଖିପାରିବେ । ଗତ ୩ ତାରିଖ ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବ୍ୟାଙ୍କିଂ ଆଇନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ଏହି ସଂଶୋଧନ ଅନୁସାରେ ଆପଣମାନେ ନିଜ ଆକାଉଣ୍ଟରେ ୪ ଜଣ ନୋମିନୀ ରଖିପାରିବେ ।
ବର୍ତ୍ତମାନ ସେଭିଙ୍ଗସ ଆକାଉଣ୍ଟ ଓ ସ୍ଥାୟୀ ଜମା ଉପରେ ବ୍ୟାଙ୍କ ଜଣଙ୍କୁ ନୋମିନୀ ରଖିବା ପାଇଁ ଅନୁମତି ଦେଉଥିବା ବେଳେ ଆଗକୁ ନୋମିନୀଙ୍କ ସଂଖ୍ୟା ବଢ଼ିବ । ବ୍ୟାଙ୍କିଂ ଆଇନ ସହ ଜଡ଼ିତ ଅତିକମରେ ୬ଟି ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଲ ଆଗତ କରିବା ପରେ ଏହି ନିୟମ ଲାଗୁ ହେବ । ଏକାଧିକ ନୋମିନୀ ବ୍ୟବସ୍ଥା ଲାଗୁ ହେବା ଫଳରେ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେବା ପରେ ଆକାଉଣ୍ଟରେ ରହିଥିବା ଜମା ଅର୍ଥ ଜଏଣ୍ଟ ଆକାଉଣ୍ଟଧାରୀ ବା ଉତ୍ତରାଧିକାରୀଙ୍କୁ ମିଳିପାରିବ ।
ଏହି ପଦକ୍ଷେପ ଫଳରେ କେନ୍ଦ୍ର ସରକାର ଅଣଦାବିଦାର ଆକାଉଣ୍ଟ ସଂଖ୍ୟାକୁ ହ୍ରାସ କରିବାକୁ ଚାହୁଁଛନ୍ତି । ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଭଳି ଆକାଉଣ୍ଟରେ ୭୮ ହଜାର କୋଟି ଟଙ୍କା ରହିଥିଲା । ସବୁଠାରୁ ବଡ଼ କଥା ହେଉଛି, ଏହି ପର୍ଯ୍ୟାପ୍ତ ପରିମାଣର ଅର୍ଥର କୌଣସି ଦାବିଦାର ନାହାନ୍ତି । ଏହାର ବଡ଼ କାରଣ ହେଉଛି ଆକାଉଣ୍ଟରେ କେବଳ ଜଣେ ମାତ୍ର ନୋମିନୀ । ଯଦି କୌଣସି ସ୍ଥିତିରେ ନୋମିନୀଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରେ ଉକ୍ତ ଅର୍ଥକୁ କ୍ଲେମ କରିବାକୁ କେହି ନଥାନ୍ତି । ଯଦି ୪ ଜଣ ନୋମିନୀ ରହିବେ ତେବେ ଗ୍ରାହକ ବା ୧ ନମ୍ବର ନୋମିନୀଙ୍କ ମୃତ୍ୟୁ ଘଟିଲେ ବି ଆଉ ୩ ଜଣ ନୋମିନୀ ରହିବେ । ଅନେକ କ୍ଷେତ୍ରରେ ପତ୍ନୀ-ପତ୍ନୀ ଉଭୟେ ଉଭୟଙ୍କୁ ନୋମିନୀ ରଖିଥାନ୍ତି । ତେଣୁ ଏଭଳି ସ୍ଥିତିରେ ଉଭୟେ କୌଣସି କାରଣରୁ ପ୍ରାଣ ହରାଇଲେ ତାଙ୍କ ଆକାଉଣ୍ଟରେ କେହି ଦାବିଦାର ନଥାନ୍ତି । ତେଣୁ ନୋମିନୀ ସଂଖ୍ୟା ୪ କରିବା ନେଇ ବିଚାର କରାଯାଉଛି ।