fbpx

୫୦ ବର୍ଷ ପରେ ପୁଣି ଘଟିଲା ‘Stockholm Syndrome’! ଯେଉଁ ଠକ ୧୧ ଲକ୍ଷର ଚୂନା ଲଗାଇଲା, ତାକୁ ହିଁ ‘ଦିଲ’ ଦେଇ ଦେଲେ ୪୦ ବର୍ଷୀୟା ମହିଳା

Advertisement

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଜମାନାରେ ଠକମାନେ ନୂଆ ନୂଆ ତରିକାରେ ଲୋକଙ୍କୁ ବୋକା ବନାଇବା ସହ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଦେଖାଯାଉଛି । ତେବେ ମଧ୍ୟରେ ହୋସ୍ ଉଡ଼ାଇଦେବା ଭଳି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳା ଜଣେ ସ୍କାମରଙ୍କ ଦ୍ୱାରା ୧୧ ଲକ୍ଷ ଟଙ୍କା ହରାଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ‘ଦିଲ୍’ ଦେଇଥିବା ଜଣାପଡ଼ିଛି । ସାଧାରଣ ଭାବେ ଆମର ଯିଏ କ୍ଷତି କରେ ଆମେ ତାକୁ ଶତ୍ରୁ ବୋଲି ଭାବିଥାଉ । ମାତ୍ର ଏତେ ବିପୁଳ ମାତ୍ରାରେ ଅର୍ଥ ହରାଇବା ପରେ ବି ମହିଳାଙ୍କର ଠକ ପ୍ରତି ସକାରାତ୍ମକ ଭାବନା ରହିଥିଲା ।

ଏହି ମାମଲାକୁ ‘ଷ୍ଟକହୋମ୍ ସିଣ୍ଡ୍ରୋମ୍’ ବୋଲି କୁହାଯାଉଛି । ଚୀନରେ ରହୁଥିବା ଜଣେ ୪୦ ବର୍ଷୀୟା ମହିଳା ଏହାର ଶିକାର ହୋଇଛନ୍ତି । ଜଣେ ସ୍କାମର ଏହି ମହିଳାଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିଲା । ତେବେ ଏଭଳି ବିପୁଳ ପରିମାଣର ଅର୍ଥ ହରାଇବା ପରେ ବି ମହିଳା ଜଣଙ୍କ ସ୍କାମରଙ୍କ ପ୍ରତି ପଜିଟିଭ୍ ଭାବନା ରଖିଥିଲେ । ସବୁଠାରୁ ବଡ଼ କଥା ହେଉଛି, ମହିଳା ଜଣଙ୍କ ଠକକୁ ଲୁଟ୍ କାମରେ ସହଯୋଗ କରିଥିଲେ ଓ ଦୁହେଁ ମିଶି ଅନ୍ୟ ଲୋକଙ୍କୁ ଲୁଟିବା ଆରମ୍ଭ କରିଥିଲେ । ମହିଳା ଜଣଙ୍କ ମ୍ୟାଁମାରରେ ରହୁଥିବା ଠକ କଥାକୁ ବିଶ୍ୱାସକୁ ନେଇଥିଲେ । ଦୁହେଁ ଚୀନରେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଗତବର୍ଷ ଅନଲାଇନ ଡେଟିଂ ଆପରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା ।

ଠକ ପାଖରେ ଅଧିକ ରିଟର୍ଣ୍ଣ ଦେଉଥିବା ଇନଭେଷ୍ଟମେଣ୍ଟ ଆକାଉଣ୍ଟ ରହିଥିବା ସେ ମହିଳାଙ୍କୁ କହିଥିଲା । ଏହାପରେ ମହିଳା ଜଣଙ୍କ ଉକ୍ତ ଆକାଉଣ୍ଟରେ ନିବେଶ କରିବାକୁ ସହମତି ପ୍ରକାଶ କରିଥିଲେ । ତେବେ ଦିନେ ଆକାଉଣ୍ଟ ଦେଖିବାକୁ ବେଳକୁ ତାହା ଖାଲି ହୋଇଯାଇଥିଲା ଓ ସେ ଠକାମିର ଶିକାର ହୋଇଥିବା ମହିଳା ଜଣଙ୍କ ଜାଣି ପାରିଥିଲେ । ଏହାପରେ ମହିଳାଙ୍କୁ ଠକ ଜଣଙ୍କ ସାହାଯ୍ୟ କରିବାକୁ ମନା କରିଦେଇଥିଲେ । ଏହା ପରେ ବି ମହିଳା ଜଣଙ୍କ ଠକ ସହିତ ରୋମାଣ୍ଟିକ ମୋଡ଼ରେ କଥାବାର୍ତ୍ତା ଜାରି ରଖିଥିଲେ । ସେମାନଙ୍କର ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ ଦୁହେଁ ପରସ୍ପରକୁ ପତି-ପତ୍ନୀ ବୋଲି ସମ୍ବୋଧନ କରିବା ଆରମ୍ଭ କରିଦେଇଥିଲେ । ଗତ ବର୍ଷ ସେପ୍ଟେମ୍ବର ୧୯ରେ ପୋଲିସ ମହିଳାଙ୍କୁ ଗିରଫ କରିଥିଲା । ମକଦ୍ଦମା ଅବସରରେ ମହିଳା ଜଣଙ୍କ ନିଜର ଦୋଷ ସ୍ୱୀକାର କରିଥିଲେ । ଏହି ମାମଲା ବିଷୟରେ ଜାଣିବା ପରେ ଚୀନର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଯଦି ଆପଣଙ୍କ ସହ କୌଣସି ବ୍ୟକ୍ତି କିଛି ଖରାପ କାର୍ଯ୍ୟ କରୁଛନ୍ତି, ତେବେ ଏପରି ସ୍ଥିତିରେ ଆପଣ ଯଦି ଉକ୍ତ ବ୍ୟକ୍ତିଙ୍କ ସହ ସହାନୁଭୂତି ଭାବନା ରଖୁଛନ୍ତି, ତେବେ ଆପଣଙ୍କ ମନୋବୈଜ୍ଞାନିକ ସ୍ଥିତିକୁ ଷ୍ଟକହୋମ୍ ସିଣ୍ଡ୍ରୋମ ବୋଲି କୁହାଯିବ । ଏକ ଘଟଣାକୁ ନେଇ ଏହି ସିଣ୍ଡ୍ରୋମର ନାମକରଣ ହୋଇଛି । ୧୯୭୩ ମସିହା ଅଗଷ୍ଟ ୨୩ରେ ସ୍ୱୀଡେନରେ ଷ୍ଟକହୋମର ଏକ ବ୍ୟାଙ୍କରେ ଡକାୟତି ହୋଇଥିଲା । ଲୁଟେରାମାନେ ୪ ଜଣଙ୍କୁ ୬ ଦିନ ପାଇଁ ବନ୍ଧକ ରଖିଥିଲେ । ଯେତେବେଳେ ସେମାନଙ୍କୁ ଉଦ୍ଧାର କରାଗଲା, ସେତେବେଳେ ବନ୍ଧକଧାରୀମାନେ ଅପରାଧୀଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ବନ୍ଧକଧାରୀ ଓ ଅପରାଧୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିଥିଲା ।

Get real time updates directly on you device, subscribe now.