fbpx

ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ମାମଲା: ତାଲିମ୍ ନେବେ ୫୦ ପୋଲିସ ଅଧିକାରୀ, କମିସନରେଟ୍ ପୋଲିସର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟ୍ୱିନ୍ ସିଟିରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ବିଶେଷ କରି ଛାତ୍ରଛାତ୍ରୀ, ଯୁବପୀଢ଼ିଙ୍କ ମଧ୍ୟରେ ଏହି ଆତ୍ମହତ୍ୟା ପ୍ରବଣତା ମାମଲା ଅଧିକ ଦେଖିବାକୁ ମିଳିଛି । ଏପରିକି ସିନେ ତାରକା, ମଡେଲ, ବରିଷ୍ଠ ନାଗରିକମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଅନେକ କ୍ଷେତ୍ରରେ ପୋଲିସର ତଦନ୍ତ ଦିଗହରା ହେଉଥିବା ବେଳେ ସମ୍ବେଦନଶୀଳ ମାମଲାରେ ମିଡ଼ିଆ ଟ୍ରାଏଲ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି ।

ତେବେ ଏଭଳି ସ୍ଥିତିରେ କମିସନରେଟ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଉଭୟ କଟକ ଓ ଭୁବନେଶ୍ୱରର ପୋଲିସ ଅଧିକାରୀଙ୍କୁ ଏଥିପାଇଁ ତାଲିମ୍ ଦିଆଯିବ । ଆତ୍ମହତ୍ୟା ମାମଲାକୁ କିପରି ପରିଚାଳନା କରାଯିବ, ସେନେଇ ତାଲିମ୍ ଦିଆଯିବ । ଆସନ୍ତା ମାସ ୪ ତାରିଖରେ ଏନେଇ ଏକ ଶିବିର ଆୟୋଜିତ ହେବ । ସେଥିରେ ସେଣ୍ଟର ଫର୍ ମେଣ୍ଟାଲ ହେଲଥ ଲ’ ଆଣ୍ଡ ପଲିସି ଡାଇରେକ୍ଟର ୫୦ରୁ ଅଧିକ ପୋଲିସ ଅଧିକାରୀଙ୍କୁ ତାଲିମ୍ ଦେବେ । ଆତ୍ମହତ୍ୟା ସହିତ ଜଡ଼ିତ ସାକ୍ଷୀଙ୍କୁ କିପରି ଜେରା କରାଯିବ, ପୀଡ଼ିତା ଓ ମୃତକଙ୍କ ପରିବାର ସଦସ୍ୟଙ୍କ ସହ କିପରି କଥାବାର୍ତ୍ତା କରାଯିବ, କେଉଁ ସୂଚନା ଗଣମାଧ୍ୟମକୁ ପ୍ରଦାନ କରାଯିବ କି ନାହିଁ ସେନେଇ ଅଧିକାରୀଙ୍କୁ ତାଲିମ୍ ଦିଆଯିବ ।

ଗତ ଦୁଇବର୍ଷ ଧରି ରାଜ୍ୟରେ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ମୁତାବକ, ୨୦୧୯ରେ ରାଜ୍ୟର ବିଭିନ୍ନ ଥାନାରେ ୪୫୮୨ଟି, ୨୦୨୦ରେ ୫୫୪୭ଟି ମାମଲା ଦାୟର ହୋଇଥିଲା । ଡିସିପିଙ୍କ ଅନୁଯାୟୀ, ଆତ୍ମହତ୍ୟା ପରେ ମୃତକଙ୍କ ପରିଜନମାନେ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି । ତେଣୁ ତଦନ୍ତକାରୀ ପୋଲିସ ଅଧିକାରୀ ସେମାନଙ୍କ ସହ କିପରି ସକରାତ୍ମକ ଡଙ୍ଗରେ କଥା ହେବେ ସେନେଇ ଯତ୍ନଶୀଳ ହେବାକୁ ପଡ଼ିବ ।

Get real time updates directly on you device, subscribe now.