ବେସେଲ (ସ୍ୱିଜରଲାଣ୍ଡ): ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ଏଠାରେ ଅନୁଷ୍ଠିତ ସ୍ୱିସ୍ ଓପନ ସୁପର ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗବାମତୁଙ୍ଗୋଫାନଙ୍କୁ ପରାସ୍ତ କରି ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ସ୍ୱିସ୍ ଓପନରେ ସିନ୍ଧୁ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବା ସୁଯୋଗ ପାଇଥିବା ବେଳେ ଚଳିତ ବର୍ଷ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ବୁସାନନଙ୍କୁ ପରାସ୍ତ କରିବା ପାଇଁ ସିନ୍ଧୁ କେବଳ ୪୯ ମିନିଟ ସମୟ ନେଇଥିବା ବେଳେ ୨୧-୧୬,୨୧- ୮ରେ ବିଜୟୀ ହୋଇଥିଲେ । ଉଭୟ ଖେଳାଳି ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ୧୭ ଥର ପରସ୍କରକୁ ଭେଟିଥିବା ବେଳେ ସିନ୍ଧୁ ୧୬ ଥର ବିଜୟୀ ହୋଇଛନ୍ତି । କେବଳ ୨୦୧୯ ହଂକଂ ଓପନ ବ୍ୟାଡମିଣ୍ଟନରେ ବୁସାନନଙ୍କ ଠାରୁ ଗୋଟିଏ ଥର ହାରିଥିଲେ ସିନ୍ଧୁ । ତେବେ ଗତ ବର୍ଷର ସ୍ୱିସ୍ ଓପନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ସ୍ପେନାର କାରୋଲିନା ମେରିନଙ୍କ ଠାରୁ ପରାସ୍ତ ହୋଇ ଥିବା ବେଳେ ଚଳିତ ବର୍ଷ ସୁଯୋଗ ହାତ ଛଡା କରି ନ ଥିଲେ । ଅନ୍ୟ ପକ୍ଷରେ ସିନ୍ଧୁଙ୍କ ପାଇଁ ଏହି ସ୍ଥାନ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । କାରଣ ୨୦୧୯ରେ ଏଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନଶି ରେ ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚଳିତ ବର୍ଷ ସ୍ୱିସ୍ ଓପନ ଚାମ୍ପିଅନ୍ ହେବା ସୌଭାଗ୍ୟ ଲାଭ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ସିନ୍ଧୁ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ସଫଳ ହୋଇ ପାରି ନ ଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ମାସରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିବା ପରେ ପୁଣି ସ୍ୱିସ୍ ଓପନରେ ଚାମ୍ପିଅନ ହୋଇଛନ୍ତି ।