fbpx

ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗୀୟ ସଚିବଙ୍କ ପରାମର୍ଶ: ଦେବାଳିଆ କରିବ ମାଗଣା ଯୋଜନା, ଶ୍ରୀଲଙ୍କା ଓ ଗ୍ରୀସ ଭଳି ହେବ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ: ସାମ୍ପ୍ରତିକ ପରିସ୍ଥିତିରେ ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଏକାଧିକ ଲୋକାଭିମୁଖୀ ଯୋଜନା ଘୋଷଣା କରୁଛନ୍ତି । ନିର୍ବାଚନରେ ବିଜୟ ହାସଲ କରିବା ପରେ ଲୋକଙ୍କ ଭରସା ରକ୍ଷା କରିବା ପାଇଁ ଏହିସବୁ ଯୋଜନାକୁ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି । ତେବେ ଏହିସବୁ ଲୋକାଭିମୁଖୀ ଯୋଜନାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଗ୍ରୀସ୍‌ ଓ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ।

ସେମାନେ କହିଛନ୍ତି ଯେ ନିର୍ବାଚନରେ ଭୋଟ ପାଇଁ କେତେକ ରାଜ୍ୟ ସରକାରଙ୍କ ମାଗଣା ବଣ୍ଟନ ଯୋଜନା ସେହି ରାଜ୍ୟଗୁଡ଼ିକ ପାଇଁ ବଡ଼ଧରଣର ଆର୍ଥିକ ସଂକଟ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଅଧିକାରୀମାନେ ଏ କ୍ଷେତ୍ରରେ ୫ଟି ରାଜ୍ୟର ଉଦାହରଣ ଦେଇଛନ୍ତି । ସେଗୁଡ଼ିକ ହେଲା- ପଞ୍ଜାବ, ଦିଲ୍ଲୀ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ଆନ୍ଧ୍ରାପ୍ରଦେଶ । ଏହି ସବୁ ରାଜ୍ୟରେ ବଣ୍ଟା ଯାଉଥିବା ମାଗଣା ଯୋଜନା ଆର୍ଥିକ ଦୃଷ୍ଟିକୋଣରୁ ଅସମ୍ଭାଳ ହୋଇଯିବ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ରାଜନୈତିକ ଦଳ ରାଜ୍ୟବାସୀଙ୍କୁ ମାଗଣାରେ ବିଦ୍ୟୁତସେବା ଯୋଗାଇବେ ବୋଲି ଘୋଷଣା କରୁଛନ୍ତି । ଏହାଦ୍ୱାରା ରାଜ୍ୟ ରାଜକୋଷ ଉପରେ ବଡ଼ଧରଣର ଆର୍ଥିକ ବୋଝ ପଡ଼ିବ । ଫଳସ୍ୱରୂ ଅତ୍ୟାବଶ୍ୟକ କ୍ଷେତ୍ର ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ ପାଇଁ ଆବଶ୍ୟକ ଅର୍ଥର ଅଭାବ ପଡ଼ିବ ।

ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ମଧ୍ୟ ବଡ଼ଧରଣର ପ୍ରଭାବ ପକାଇବ । ସେମାନେ କହିଛନ୍ତି ଯେ ମାଗଣା ବଣ୍ଟନ ଫଳରେ ଅନ୍ୟ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନୁଦାନ ହ୍ରାସ ପାଇବାରେ ଲାଗିଛି । ଏହିସବୁ ଲୋକାଭିମୁଖୀ ଯୋଜନାକୁ ନିୟନ୍ତ୍ରଣ କରାନଗଲେ ଆର୍ଥିକ ସଂକଟ ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେମାନେ ଚେତାଇ ଦେଇଛନ୍ତି । ସେମାନେ ଉଦାହରଣ ଦେଇ କହିଥିଲେ ଯେ ଶ୍ରୀଲଙ୍କାରେ ବର୍ତ୍ତମାନ ଘୋର ଆର୍ଥିକ ସଂକଟ ଉପୁଜିଛି । ସେଠାରେ ସହରର ଷ୍ଟ୍ରିିଟଲାଇଟ୍‌ ବନ୍ଦ କରାଯିବା ସହ ୧୨ରୁ ୧୩ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ଔଷଧ ୩୦ ପ୍ରତିଶତ ମହଙ୍ଗା ହୋଇଛି । ପେଟ୍ରୋଲ ପମ୍ପରେ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଥିବାବେଳେ ସେନାର ଯବାନଙ୍କୁ ମୁତୟନ କରାଯାଇଛି । ଚାଉଳ କିଲୋ ୫ଶହ ଟଙ୍କାରେ ପହଞ୍ଚିଛି । ସେହିପରି ଚିନି କିଲୋ ୨୯୦ ଟଙ୍କାରେ ପହଞ୍ଚିଥିବା ବେଳେ ଚା କପ୍‌ ୧୦୦ ଟଙ୍କାରେ ମିଳୁଛି । ଏପରିକି ଏଲପିଜି ସିଲିଣ୍ଡର ଦର ୪୧୧୯ ଟଙ୍କା ହୋଇଛି ।

Get real time updates directly on you device, subscribe now.