ଦଶମ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମିଳିବ ଟାବଲେଟ୍ ସହ ମାଗଣା ଇଣ୍ଟରନେଟ୍; ଏହି ରାଜ୍ୟର ସରକାର ନେଲେ ନିଷ୍ପତ୍ତି…

ଚଣ୍ଡୀଗଡ଼: ଆସନ୍ତା ମେ ମାସରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପଢ଼ିବା ପାଇବା ମାଗଣାରେ ଟାବଲେଟ୍ ପ୍ରଦାନ କରାଯିବ ଏହାସହ ପ୍ରତିଦିନ ୨ ଜିବି ଲେଖାଏଁ ଡାଟା ମଧ୍ୟ ପ୍ରଦାନ କରାଯିବ । କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ଏନେଇ ଗୁରୁବାର ରାଜ୍ୟର ଶିକ୍ଷାମନ୍ତ୍ରୀ କନୱର ପାଲ ସୂଚନା ଦେଇଛନ୍ତି ।

ଟାବଲେଟରେ ପିଲାଙ୍କୁ ପାଠ ସମ୍ବନ୍ଧୀୟ ସବୁ ପ୍ରକାର ଆପ୍, କଣ୍ଟେଣ୍ଟ ଏବଂ ସଫ୍ଟଓୟାର ମିଳିବ । ଏହା ସହ ମାଗଣା ଇଣ୍ଟରନେଟ୍ ଡାଟା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଯୋଗାଇଦିଆଯିବ । ଏନେଇ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଯେଉଁଥିରୁ ଶିକ୍ଷା ସଫ୍ଟଓୟାର ବାବଦରେ ୫ କୋଟି,  ସିମ୍ କାର୍ଡ ଏବଂ ଡାଟା ବାବଦକୁ ୪୭ କୋଟି ଟଙ୍କା ଖର୍ଚ୍ଚକୁ ଅନୁମତି ମିଳିଛି । ପ୍ରତିଦିନ ୨ ଜିବି ଲେଖାଏଁ ଡାଟା ଦିଆଯିବ ।

ଏନେଇ ଗତ ମାସ ବଜେଟ ଅଧିବେଶନ ମଧ୍ୟ ସୂଚନା ଦିଆଯାଇଥିଲା । ମେ ମାସରେ ପ୍ରାୟ ୨.୫ ଲକ୍ଷ ଟାବଲେଟ ବଣ୍ଟନ ନେଇ ସୂଚନା ଦିଆଯାଇଥିଲା । ମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ମ୍ୟାଟେରିଆଲ, ଇ-ବୁକ୍, ଟେଷ୍ଟ ଭିଡିଓ ଏବଂ ଷ୍ଟଡି ମ୍ୟାଟେରିଆଲ ଇତ୍ୟାଦି ଟାବଲେଟ ମାଧ୍ୟମରେ ଯୋଗାଇ ଦିଆଯିବ ।

ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଅଧିକାଂଶ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ସ୍ମାର୍ଟଫୋନ ଏବଂ ଟାବଲେଟ ଭଳି ଉପକରଣ କିଣିବାକୁ ଅସମର୍ଥ ତେଣୁ ସେମାନଙ୍କ ମଧ୍ୟରେ ଡିଜିଟାଲ ଶିକ୍ଷାର ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି ।