fbpx

ବିହାର ଉପନିର୍ବାଚନରେ ଧରାଶାୟୀ ହେଲା BJP, ଭିତରେ ଭିତରେ ଖୁସି ମନାଉଛି JD(U): ଆରମ୍ଭ ହେଲା ମେଣ୍ଟରେ ଫାଟ ରାଜନୀତି

ନୂଆଦିଲ୍ଲୀ: ବିହାରର ବୋଚହା ବିଧାନସଭା ଉପନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଆରଜେଡି ପ୍ରାର୍ଥୀ ପାଖାପାଖି ୮୨ ହଜାର ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲା ପାଖାପାଖି ୪୫ ହଜାର ଭୋଟ । ତେବେ ଏହି ପରାଜୟ ପରେ ଏବେ ବିହାରରେ ସୁପ୍ତ ଅବସ୍ଥାରେ ଥିବା ଜେଡି(ୟୁ) ପୁଣି ଥରେ ଚେଇଁ ଉଠିଛି । ଗୋଟିଏ ପଟେ ବିଜେପି ପରାଜୟର ସମୀକ୍ଷା କରୁଥିବା ବେଳେ ଅନ୍ୟପଟେ ସହଯୋଗୀ ଦଳ ଜେଡି(ୟୁ)ର କର୍ମୀଙ୍କ ମହଲରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି ।

ଏନେଇ ଜେଡିୟୁର ଜଣେ ବିଧାୟକ କହିଛନ୍ତି ଯେ, ବିହାରରେ ଏନଡିଏର ଲିଡର ହେଉଛନ୍ତି ନୀତିଶ କୁମାର । ନୀତିଶଙ୍କୁ ଅଣଦେଖା କରିବା ବିଜେପିକୁ ମହଙ୍ଗା ପଡ଼ିଛି । ଫଳରେ ପରାଜୟର ଦ୍ୱାର ଦେଖିଛି ବିଜେପି । ଗତ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ସିଟ୍ ହାତେଇଥିବା ବେଳେ ଜେଡି(ୟୁ)କୁ କମ୍ ସିଟ୍ ମିଳିଥିଲା । ତେଣୁ ବିଭିନ୍ନ ସମୟରେ ବିଜେପିର ନେତାମାନେ ନୀତିଶଙ୍କୁ ଅପମାନିତ କରିବାକୁ ପଛାଇ ନଥିଲେ । ଚଳିତ ଉପନିର୍ବାଚନରେ ବିଜେପି ଯେଉଁ ରଣନୀତି ଆପଣାଇଥିଲା, ତାହା ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ ହୋଇଛି ।

ଅନ୍ୟପକ୍ଷରେ ବୋଚହା ନିର୍ବାଚନ ପ୍ରଭାରୀ କହିଛନ୍ତି ଯେ, ଆମେ ପରାଜୟକୁ ସ୍ୱୀକାର କରୁଛୁ । ଖୁବଶୀଘ୍ର ପରାଜୟର ସମୀକ୍ଷା କରାଯିବ । ସହଯୋଗୀ ଦଳ ମଧ୍ୟରେ କୌଣସି ଅନ୍ତଃକନ୍ଦଳ ନାହିଁ । ସିଏମ୍ ନୀତିଶ ବୋଚହାକୁ ଯାଇ ନିର୍ବାଚନ ପ୍ରଚାର କରିଥିଲେ । ସୂଚନାଯୋଗ୍ୟ ଯେ, ବିହାରରେ ଏନଡିଏର କୌଣସି ନେତା ନାହାନ୍ତି ବୋଲି କିଛି ନେତା ଚର୍ଚ୍ଚା କରୁଥିଲେ । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ ଏନଡିଏର ଶୀର୍ଷ ନେତୃତ୍ୱ ଏହା ଉପରେ ତର୍ଜମା କରିବା ଦରକାର । ବିଜେପି-ଏନଡିଏ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ନୂଆ ଫାଟ ଆଗକୁ ରାଜନୀତିର ଭିନ୍ନ ଦିଗ ସୃଷ୍ଟି କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.