ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ସାମିଲ୍ ହେବା ନିଶ୍ଚିତ ! କେଉଁ ଦାୟିତ୍ଵରେ ରହିବେ ବାଜିଲା ମୋହର

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଖୁବ୍ ଶୀଘ୍ର କଂଗ୍ରେସ ସାମିଲ୍ ହେବା ନେଇ କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇ ପାରନ୍ତି। ସେ ଶୀଘ୍ର କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ଦଳରେ କେଉଁ ଦାୟିତ୍ଵ ଦିଆଯିବ ପାର୍ଟି ତାହା ସ୍ଥିର କରି ସାରିଛି। ଗତ କିଛି ଦିନରେ ପ୍ରଶାନ୍ତ କିଶୋର କଂଗ୍ରେସ ନେତାମାନଙ୍କ ସହ ମାରାଥନ ବୈଠକ କରିଛନ୍ତି। ଏହି ସମୟରେ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ମଧ୍ୟ ହୋଇଛି।

ଏନଡିଟିଭିର ରିପୋର୍ଟ ଅନୁସାରେ, କିଶୋରଙ୍କ କଂଗ୍ରେସରେ ଯୋଗ ଦେବାର ଉଦ୍ୟମ ଏଥର ସଫଳତାର ଦ୍ଵାର ଦେଶରେ ରହିଛି। ସେ ଶୀଘ୍ର ପାର୍ଟିରେ ସାମିଲ୍ ହେବାକୁ ଯାଉଛନ୍ତି। ଆଉ ପାର୍ଟିରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବା ସ୍ଥିର ହୋଇ ସାରିଛି। ଏହି ଭୂମିକାର ରୂପରେଖା ରାହୁଲଙ୍କ ସହ ଆଲୋଚନା ପରେ ପାର୍ଟି ପ୍ରମୁଖ ସୋନିଆ ଗାନ୍ଧୀ ପ୍ରସ୍ତୁତ କରିବେ।

ଅନ୍ୟପଟେ କିଶୋରଙ୍କ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସୋନିଆ ଗାନ୍ଧୀଙ୍କ ପକ୍ଷରୁ ଗଠିତ ସ୍ଵତନ୍ତ୍ର ଦଳ ଚାହାନ୍ତି ଯେ, ପ୍ରଶାନ୍ତ ସଂପୂର୍ଣ୍ଣ ଭାବେ କଂଗ୍ରେସ ପାଇଁ ସମର୍ପିତ ରୁହନ୍ତୁ ଏବଂ ଅନ୍ୟ ପାର୍ଟି ସହ ସଂପର୍କ ଛିନ୍ନ କରନ୍ତୁ। ଏହା ପୂର୍ବରୁ କିଶୋର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ସହିତ କାମ କରି ସାରିଛନ୍ତି।

ରିପୋର୍ଟ ଅନୁଯାୟୀ, ପାର୍ଟିର ଅନେକ ନେତାଙ୍କ କହିବା କଥା କିଶୋର ରାଷ୍ଟ୍ରୀୟସ୍ତରରେ ଭୂମିକା ଚାହାନ୍ତି ଏବଂ କୌଣସି ଗୋଟିଏ ପାର୍ଟିରେ ବାନ୍ଧି ହୋଇ ରହିବାକୁ ଚାହାନ୍ତି ନାହିଁ। ପାର୍ଟିର ବରିଷ୍ଠ ନେତା ଦିଗବିଜୟ ସିଂହ ନିର୍ବାଚନୀ ରଣନୀତିକାରଙ୍କୁ ପାର୍ଟିରେ ସାମିଲ୍ କରାଯିବା ଏବଂ ତାଙ୍କୁ ପରିବର୍ତ୍ତନ କରିବାର ସୁଯୋଗ ଦେବା ସପକ୍ଷରେ ଅଛନ୍ତି। ସେ କହିଥିଲେ, କିଶୋରଙ୍କ ଯାତ୍ରା ଗୋଟିଏ ପାର୍ଟିରୁ ଅନ୍ୟ ପାର୍ଟିକୁ ରହି ଆସିଛି।

Get real time updates directly on you device, subscribe now.