fbpx

ଏବେ ବି ପ୍ଲେଅଫରେ ପହଞ୍ଚିପାରେ ଚେନ୍ନାଇ: ଧୋନୀଙ୍କ ଅଧିନାୟକତ୍ୱକୁ ନେଇ ଏମିତି କହିଲେ ସେହୱାଗ

ମୁମ୍ବାଇ: ପୁଣିଥରେ ଧୋନୀଙ୍କ ହାତକୁ ଆସିଛି ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ ପଦ । ପଦ ହାତକୁ ଆସିବାର ପ୍ରଥମ ମ୍ୟାଚରେ ହିଁ ଦେଖିବାକୁ ମିଳିଥିଲା ଦଳର ଦମଦାର ଅନ୍ଦାଜ । ପ୍ରଥମ ମ୍ୟାଚରେ ହିଁ ଦଳକୁ ୧୩ ରନରେ ବିଜୟୀ କରାଇଛନ୍ତି ଧୋନୀ । ତେବେ ମସସ୍ତଙ୍କ ମନରେ ଏବେ ବି ଗୋଟିଏ ପ୍ରଶ୍ନ ରହିଛି । ପ୍ଲେଅପରେ ପହଞ୍ଚି ପାରିବ କି ସିଏସକେ ? ଏହି ପ୍ରଶ୍ନର ଏକ ସୁନ୍ଦର ଉତ୍ତର ରଖିଛନ୍ତି ଭାରତର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ।

୯ଟି ମ୍ୟାଚରୁ ୩ ବିଜୟ ସହ ନବମ ସ୍ଥାନରେ ଥିବା ଚେନ୍ନାଇ ପାଇଁ ପ୍ଲେଅଫ ଟିକେଟ ଟିକିଏ କଷ୍ଟକର ହୋଇ ପଡିଛି । ଏହା ପରେ ମଧ୍ୟ ଧୋନୀ ନିଜ ନେତୃତ୍ୱ ବଳରେ ଦଳକୁ ପ୍ଲେଅଫରେ ପହଞ୍ଚାଇ ପାରନ୍ତି ବୋଲି କହିଛନ୍ତି ସେହୱାଗ । କ୍ୟାପଟେନ କୁଲ ମାହିଙ୍କ ନେତୃତ୍ୱରେ ଭାରତ ଜିତିଥିବା ଅନେକ ଐତିହାସିକ ମ୍ୟାଚକୁ ମନେ ପକାଇ ଏହି ମନ୍ତବ୍ୟ ଦେଇଛନ୍ତି ବୀରୁ । ସେହୱାଗ କହିଛନ୍ତି, “୨୦୦୫ରୁ ଧୋନୀଙ୍କ ସହିତ ମୁଁ ଅଛି ଏବଂ ତାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟରେ ପରିବର୍ତ୍ତନ ଦେଖିଛି । ପୂର୍ବରୁ ହାରୁଥିବା ଅନେକ ସିରିଜରେ ଧୋନୀଙ୍କ ନେତୃତ୍ୱ ଆମକୁ ବିଜୟ ଦେଇଛି । ତେଣୁ ଏହି ସବୁକୁ ବିଚାର କଲେ ମତେ ଲାଗୁଛି ଧୋନୀ ଚେନ୍ନାଇକୁ ପ୍ଲେଅଫରେ ପହଞ୍ଚାଇ ପାରନ୍ତି ।”

ଆଗକୁ ଆଉ ୫ଟି ମ୍ୟାଚ ଖେଳିବ ଚେନ୍ନାଇ । ତେବେ ପ୍ଲେଅଫରେ ପହଞ୍ଚିବାକୁ ହେଲେ ଦଳକୁ ବାକି ସମସ୍ତ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଗତ ସିଜନରେ ଚେନ୍ନାଇ ଧୋନୀଙ୍କ ନେତୃତ୍ୱରେ ଚତୁର୍ଥ ଟାଇଟଲ ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ତେଣୁ ଅଧିନାୟକତ୍ୱ ପାଇବା ପରେ ଚଳିତ ଥର ମଧ୍ୟ ଧୋନୀ ଏବଂ ଦଳଠୁ ସମାନ କିଛି ଆଶା କରୁଛନ୍ତି କୋଟି କୋଟି ପ୍ରଶଂସକ ।

Get real time updates directly on you device, subscribe now.