fbpx

ପ୍ରଧାନମନ୍ତ୍ରୀ ଇସ୍ତଫା ପରେ ବି ବନ୍ଦ ହେଉନି ଦଙ୍ଗା: ଜଳୁଛି ମନ୍ତ୍ରୀଙ୍କ ଘର, ଜଣେ ସାଂସଦଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ପୁଣିଥରେ ସୁନାର ଲଙ୍କାରେ ଲାଗିଛି ନିଆଁ । ତେବେ ଏଥର ରାବଣ ପୂରୀ ନୁହେଁ, ହୁତୁହୁତୁ ହୋଇ ଜଳୁଛି ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କ ଘର । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ଇସ୍ତଫା ପରେ ମଧ୍ୟ ଦେଶରେ ଦଙ୍ଗା ଏବଂ ଉତ୍ତେଜନା ଜାରି ରହିଛି । ପୂର୍ବତନ ମନ୍ତ୍ରୀଙ୍କ ସମେତ ଜଣେ ସାଂସଦ ସନଥ ନିଶାନ୍ତଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି । ସେପଟେ କଲମ୍ବୋ ରାସ୍ତାରେ କର୍ଫ୍ୟୁ ବେଖାତିର କରି ହଜାର ହଜାର ସଂଖ୍ୟାରେ ଭିଡ ଦେଖିବାକୁ ମିଳିଛି । ଏମାନଙ୍କ ଟାର୍ଗେଟରେ ରହିଛନ୍ତି ମହିନ୍ଦ୍ରା ରାଜପକ୍ଷେଙ୍କ ସମର୍ଥକ ।

ମିଳିଥିବା ସୂଚନା ମୁତାବକ, କରୁଣାଗଳାର ମେୟର ତୁଷାରା ସଞ୍ଜୀବଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି । ରାଜପକ୍ଷେଙ୍କ ଇସ୍ତଫା ପରେ ସରକାରଙ୍କ ସପକ୍ଷରେ ଥିବା ଗୋଷ୍ଠୀ ଏବଂ ସରକାର ପିରୋଧୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ତେଜନା । ଏହା ଘଟଣା ମଧ୍ୟରେ ଜଣେ ସାଂସଦଙ୍କ ସମେତ ୩ ଜଣ ପ୍ରାଣ ହରାଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ପରେ ଜରୁରୀକାଳୀନ ପରିସ୍ତିତି ଘୋଷଣା କରାଯାଇଥିଲା । ତେବେ ସୋମବାର ଏହାର ଅଧିକ ଚାପ ପରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ । ରାଜନୈତିକ ସଙ୍କଟକୁ ନେଇ ରବିବାର ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଷ୍ଟ୍ରପତି ଗୋଟବାୟା ଭାଇ ରାଜପକ୍ଷେଙ୍କୁ ଇସ୍ତଫା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.