fbpx

ପୋଲିସ ପରିଚୟ ଦେଇ ବନ୍ଧୁକ ମୁନରେ ଅପହରଣ : ଯୁବକଙ୍କୁ ଛାଡ଼ିବା ପାଇଁ ୭ ଲକ୍ଷ ଡିମାଣ୍ଡ କଲେ ଦୁବୃର୍ତ୍ତ, ୩ ଲକ୍ଷ ଦେଲେ ପରିବାରଲୋକ !

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା । ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ କୋମନା ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଗତ ୨୧ ତାରିଖ ରାତିରେ ଗାଁର ପ୍ରେମାନନ୍ଦ ତାଣ୍ଡି (୩୨ବର୍ଷ) ଘରେ ଏକୁଟିଆ ଶୋଇଥିଲେ । ରାତି ୧ଟାରେ ଏକ ଚାରିଚକିଆ ଗାଡ଼ିରେ ଚାରି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଉଠାଇ ନେଇଥିଲେ । ସେମାନେ ନିଜକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ୍‌ କହି ବନ୍ଧୁକ ଓ ଛୁରି ଦେଖାଇ ଭୟଭୀତ କରାଇବା ସହ ସେଠାରୁ ପ୍ରେମାନନ୍ଦଙ୍କୁ ନେଇ ଯାଇଥିଲେ । ବଲାଙ୍ଗୀର ଜିଲ୍ଲା ଲଠୋର ଓ ତୁରେଇକେଲା ମଧ୍ୟସ୍ଥ ଗଏନ୍ଦିମାଲ ନିକଟ ଜଙ୍ଗଲ ଭିତରେ ତାଙ୍କୁ ଓହ୍ଲାଇ ୭ଲକ୍ଷ ଟଙ୍କା ଦାବି କରିଥିଲେ । ନଚେତ ଜୀବନରେ ମାରି ଦେବାକୁ ମୁଣ୍ଡରେ ପିସ୍ତଲ ଲଗାଇ ଫୋନ୍‌ କରି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ସେହି ରାତିରେ ପ୍ରେମାନନ୍ଦଙ୍କ ଜୀବନ ବଞ୍ଚାଇବା ପାଇଁ ୧ ଲକ୍ଷ ୭୮ହଜାର ୫୦୦ ଟଙ୍କା ଯୋଗାଡ଼ କରିଥିଲେ । ଏଥିରେ ଦୁର୍ବୃତ୍ତମାନେ ରାଜି ହୋଇ ନଥିଲେ ।

ଶେଷରେ ପରିବାର ଲୋକ ସମ୍ପର୍କୀୟ ଜଣେ ଯୁବତୀଙ୍କ ବିବାହ ପାଇଁ ରଖାଯାଇଥିବା ସୁନାଗହଣାକୁ ଧରି ଜଙ୍ଗଲକୁ ଯାଇଥିଲେ । ଦୁର୍ବୃତ୍ତଙ୍କୁ ପରିବାର ଲୋକେ ନଗଦ ୧.୭୮ ଲକ୍ଷ ସହ ଦେଢ଼ ଭରି ସୁନାଗହଣା ଦେଇଥିଲେ । ଏଥିରେ ମଧ୍ୟ ଦୁର୍ବୃତ୍ତମାନେ ରାଜି ହୋଇନଥିବାରୁ ପୁଣି ଏକ ନମ୍ବରରେ ଅନ୍‌ଲାଇନ୍‌ ଯୋଗେ ୧୫ ହଜାର ଟଙ୍କା ପଠାଇ ଥିଲେ । ସୁନାଗହଣାକୁ ମିଶାଇ ୩ ଲକ୍ଷ ଟଙ୍କା ଦେବା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଛାଡ଼ି ଦେଇଥିଲେ । ପ୍ରେମାନନ୍ଦ ଏନେଇ ଗତ ୨୩ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ୍‌ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.