fbpx

ସର୍ବକାଳୀନ ନିମ୍ନସ୍ତରରେ ଟଙ୍କାର ମୂଲ୍ୟ, ଅର୍ଥ ମନ୍ତ୍ରୀ କହିଲେ- ଏବେ ବି ଆମେ ଉନ୍ନତ ସ୍ଥିତିରେ ଅଛୁ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୂଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ରହିଛି। ହେଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା କଥା ଦୁନିଆର ଅନ୍ୟ ମୁଦ୍ରା ତୂଳନାରେ ଟଙ୍କାର ସ୍ଥିତି  ଭଲ ରହିଛି। ଏକ କାର‌୍ୟ୍ୟକ୍ରମରେ ନିର୍ମଳା କହିଛନ୍ତି, ଆମେ କିଛି ମାତ୍ରରେ ସୁବିଧାଜନକ ସ୍ଥିତିରେ ଅଛନ୍ତି। ଆମେ ଏକ ବନ୍ଦ ଅର୍ଥବ୍ୟବସ୍ଥାରେ ନାହାନ୍ତି। ଆମେ ବୈଶ୍ଵିକ ଅର୍ଥବ୍ୟବସ୍ଥାର ଅଂଶ। ତେଣୁ ବିଶ୍ଵର ଘଟଣାକ୍ରମର ପ୍ରଭାବ ଆମ ଉପରେ ପଡିଥାଏ।

ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ମାଇକେଲ୍ ଡି ପାତ୍ରା ମଧ୍ୟ କହିଥିଲେ ଯେ, ନିକଟରେ ଭାରତୀୟ ମୁଦ୍ରାକୁ ସବୁଠୁ କମ କ୍ଷତି ଉଠାଇବାକୁ ପଡିଛି। ଆରବିଆଇ ଟଙ୍କାରେ ଅଧିକ ଉତଥାନ ପତନ ହେବାକୁ ଦେବ ନାହିଁ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଡଲାର ତୂଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇ ଚାଲିଛି। ବୁଧବାର ଡଲାର ପିଛା ଟଙ୍କାର ବିନିମୟ ମୂଲ୍ୟ ୭୯ ତଳକୁ ଖସି ଆସିଛି। ଏହା ଟଙ୍କାର ସର୍ବକାଳୀନ ନିମ୍ନସ୍ତର। ଗୁରୁବାର କାରବାରରେ କିଛିଟା ଭରଣା ହୋଇଥିଲା, ହେଲେ ପୁଣି ଥରେ ୭୯ ତଳକୁ ଖସି ଆସିଛି ଟଙ୍କା।

କାରଣ କଣ
ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଆର୍ଥିକ ବୃଦ୍ଧିକୁ ନେଇ ଚିନ୍ତା, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି, ମୁଦ୍ରାସ୍ପୀତିରେ ବୃଦ୍ଧି ଏବଂ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇବା ଡଲାର ତୂଳନାରେ ଦୁନିଆର ଅଧିକାଂଶ ପ୍ରମୁଖ ମୁଦ୍ରାର ସ୍ଥିତି ଦୁର୍ବଳ ହୋଇଛି।

ୟୁକ୍ରେନ ଉପରେ ରୁଷର ହମଲା ଆରମ୍ଭ ହେବା ପରଠୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କାକୁ ସମର୍ଥନ ଦେବା ପାଇଁ ନିଜ ବିଦେଶୀ ମୁଦ୍ରାର ବ୍ୟବହାର କରିଛି। ଏହି କାରଣର ଫେବୃଆରୀ ୨୫ ପରଠୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୪୦.୯୪ ଅରବ ଡଲାର ହ୍ରାସ ଘଟି ସାରିଛି।

Get real time updates directly on you device, subscribe now.