fbpx

ଦ୍ରୌପଦୀ ମୁର୍ମୁ ହେଲେ ଭାରତର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ସମଗ୍ର ଭାରତବର୍ଷର ନଜର ରହିଥିଲା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଉପରେ । ତେବେ ଏହା ମଧ୍ୟରେ ତୃତୀୟ ରାଉଣ୍ଡ ଭୋଟ ଗଣତି ପରେ ଫଳାଫଳ ସାମ୍ନାକୁ ଆସିଯାଇଛି । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷ ମହାମେଣ୍ଟର ଯଶୱନ୍ତ ସିହ୍ନାକୁ ପରାସ୍ତ କରିଛନ୍ତି । ଦ୍ରୌପଦୀ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ସେ ମୋଟ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇଛନ୍ତି । ତେବେ ଦ୍ରୌପଦୀଙ୍କ ବିଜୟ ନେଇ କେବଳ ଔପଚାରିକ ଭାବେ ଘୋଷଣା ବାକି ରହିଛି ।

ତୃତୀୟ ରାଉଣ୍ଡରେ ମୋଟ ୩୨୧୯ଟି ଭୋଟ ରହିଥିବା ବେଳେ ତା’ର ମୂଲ୍ୟ ୮ ଲକ୍ଷ ୩୮ ହଜାର ୮୩୯ ରହିଥିଲା । ଦ୍ରୌପଦୀଙ୍କୁ ମିଳିଥିବା ୨୧୬୧ଟି ଭୋଟର ମୂଲ୍ୟ ୫ ଲକ୍ଷ ୫୭ ହଜାର ୭୭୭ ରହିଥିବା ବେଳେ ଯଶୱନ୍ତଙ୍କୁ ମିଳିଥିବା ୧୦୫୮ଟି ଭୋଟର ମୂଲ୍ୟ ୨ ଲକ୍ଷ ୬୧ ଲକ୍ଷ ୬୨ ରହିଥିଲା । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ଜିତିବା ପରେ ବିପକ୍ଷ ପ୍ରାର୍ଥୀ ଯଶୱନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀଙ୍କ ବାସଭବନକୁ ଯାଇ ବଧାଇ ଜଣାଇଛନ୍ତି ।

ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତିରେ ଦ୍ରୌପଦୀଙ୍କୁ ୮୦୯ଟି ଭୋଟ ମିଳିଥିବା ବେଳେ ତାଙ୍କର ମୋଟ ଭୋଟ ୧୩୪୯ରେ ପହଞ୍ଚିଥିଲା । ସେହିପରି ଯଶୱନ୍ତଙ୍କୁ ୩୨୯ଟି ଭୋଟ ମିଳିଥିବା ତାଙ୍କର ଭୋଟ ସଂଖ୍ୟା ୫୩୭ରେ ପହଞ୍ଚିଥିଲା । ଦ୍ରୌପଦୀଙ୍କ ମୋଟ ଭୋଟ ମୂଲ୍ୟ ୪.୮୩ ଲକ୍ଷରେ ପହଞ୍ଚିଥିବା ବେଳେ ଯଶୱନ୍ତଙ୍କ ଭୋଟ ମୂଲ୍ୟ ୧.୮୯ ଲକ୍ଷରେ ପହଞ୍ଚିଥିଲା । ତେବେ ପ୍ରଥମ ରାଉଣ୍ଡରେ ଦ୍ରୌପଦୀଙ୍କୁ ୫୪୦ଟି ଭୋଟ ମିଳିଥିବା ବେଳେ ତାଙ୍କର ଭୋଟ ମୂଲ୍ୟ ୩ ଲକ୍ଷ ୭୮ ହଜାର ରହିଥିଲା । ସେହିପରି ଯଶୱନ୍ତଙ୍କୁ ୨୦୮ଟି ଭୋଟ ମିଳିଥିବା ବେଳେ ତାଙ୍କର ଭୋଟ ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ରହିଥିଲା ।

Get real time updates directly on you device, subscribe now.