ନୂଆଦିଲ୍ଳୀ: ଟଙ୍କା ନିବେଶ କରିବାର ଅନେକ ବିକଳ୍ପ ରହିଛି । ଅନେକ ଲୋକ ଷ୍ଟକ୍ ମାର୍କେଟରେ ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାନ୍ତି । ଏବେ କ୍ରିପ୍ଟୋକରେନ୍ସୀ ଉପରେ ଲୋକେ ନିବେଶ କରୁଛନ୍ତି । ଏହି ସବୁ ନିବେଶରେ ରିସ୍କ ତ’ ଅଛି । ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ଯୋଜନାରେ ନିବେଶ କରିବାକୁ ଚାହୁଛନ୍ତି ଯେଉଁଠାରେ ସେମାନଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିବ ଏବଂ ସେମାନଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ ।
ବିନା କୌଣସି ରିସ୍କରେ ଟଙ୍କା ନିବେଶ କରିବା ପାଇଁ ପୋଷ୍ଟ ଅଫିସ୍ ଉପଯୁକ୍ତ । ଏଭଳି ଏକ ସ୍କିମ ହେଉଛି ଗ୍ରାମ ସୁରକ୍ଷା ଯୋଜନା । ପୋଷ୍ଟ ଅଫିସର ଏହି ଛୋଟ ସଞ୍ଚୟ ଯୋଜନା ବଡ଼ ଲାଭ ଦେଇଥାଏ । ଏଥିରେ ଅର୍ଥ କ୍ଷତି ହେବାର ମଧ୍ୟ କୌଣସି ବିପଦ ନଥାଏ । ଏହି ଯୋଜନାରେ ପ୍ରତିଦିନ ୫୦ ଟଙ୍କା ଅର୍ଥାତ୍ ମାସରେ ୧୫୦୦ ଟଙ୍କା ଜମା କରି ଆପଣ ୩୫ ଲକ୍ଷ ଟଙ୍କାର ଫଣ୍ଡ୍ ତିଆରି କରିପାରିବେ ।
ଗ୍ରାମ ସୁରକ୍ଷା ଯୋଜନାରେ ନିବେଶ କରୁ୍ଥିବା ଲୋକଙ୍କୁ ପୂରା ୩୫ ଲକ୍ଷ ଟଙ୍କାର ଫାଇଦା ମିଳିଥାଏ । ଏହି ସ୍କିମରେ ଏହି ରାଶି ବୋନସ ସହ ନିବେଶକକୁ ୮୦ ବର୍ଷ ବୟସରେ ମିଳିଥାଏ । ଯଦି ୮୦ ବର୍ଷ ପୂର୍ବରୁ ନିବେଶକଙ୍କ ମୃତ୍ୟୁ ହୋଇଯାଏ, ତେବେ ଏଭଳି ସ୍ଥିତିରେ ନୋମିନୀଙ୍କୁ ଟଙ୍କା ମିଳିଥାଏ । ଏହି ସ୍କିମରେ ୧୯ ବର୍ଷରୁ ୫୫ ବର୍ଷ ମଧ୍ୟରେ କେହି ବି ଭାରତୀୟ ନାଗରିକ ନିବେଶ କରିପାରିବେ । ଏଥିରେ ୧୦ ହଜାରରୁ ନେଇ ୧୦ ଲକ୍ଷ ପର୍ଯ୍ୟନ୍ତ ନିବେଶ କରାଯାଇପାରେ । ଏବଂ ଏହାର କିସ୍ତି ଆପଣ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଆଧାରରେ ଦେଇପାରିବେ ।
ଯଦି ଆପଣ ୧୯ ବର୍ଷ ବୟସରେ ଏହି ପଲିସି କିଣୁଛନ୍ତିନ୍ତି, ତେବେ ଆପଣଙ୍କୁ ୫୫ ବର୍ଷ ପାଇଁ ପ୍ରତି ମାସରେ ୧୫୧୫ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ୫୮ ବର୍ଷ ପାଇଁ କିଣିଲେ ୧୪୬୩ ଟଙ୍କା ପ୍ରିମିୟମ ଦେବାକୁ ଏବଂ ୬୦ ବର୍ଷ ପାଇଁ ଆପଣଙ୍କୁ ୧୪୧୧ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ପଲିସି ଧାରକଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କା ମ୍ୟାଚୁରିଟି ଲାଭ ମିଳିବ । ଏଥି ସହିତ ୬୦ ବର୍ଷ ପାଇଁ ମ୍ୟାଚୁରିଟି ଲାଭ ୩୪.୬୦ ଲକ୍ଷ ଟଙ୍କା ହେବ । ଗ୍ରାମ ସୁରକ୍ଷା ପଲିସିରେ ନିବେଶର ଚାରି ବର୍ଷ ପରେ ଲୋନ୍ ମଧ୍ୟ ନେଇପାରିବେ ।