fbpx

ନଭେମ୍ବର ୮ ରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା: ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହ୍ୟି ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶ।।ସନ ସଚିବ ଶ୍ରୀ ମଧୁସୁଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ ।

ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ୍ ସଂଯୋଗ, ପରିମଳ, ସ୍ୱାସ୍ଥ୍ୟ ସେବା ଓ ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ୱ ଆରୋପ କରି ଏସବୁରୁ ଉତ୍ତମ ପରିଚାଳନା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡ଼ିଆରେ ଅଧିକ ସଂଖ୍ୟକ ପାନୀୟ ଜଳ ଟ୍ୟାଙ୍କ୍୍, ଅସ୍ଥାୟୀ ବାୟୋ ଟଏଲେଟ୍ ଆଦି ଲଗାଇବାକୁ କଟକ ପୌର ପରିଷଦ ଏବଂ ଗୃହ ଓ ନଗର ଉନ୍ନୟନ ବିଭଗଙ୍କୁ କୁହାଯାଇଥିଲା ।

ଯାତ୍ରା ସମୟରେ ନଦୀରେ ଜଳ କ୍ରୀଡ଼ା ଏବଂ ଡେଜର୍ଟ ବାଇକ୍ ରାଇଡିଂ ଆଦିର ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏ ବର୍ଷ ଅଧିକ ସଂଖ୍ୟକ ଲୋକ କଳା, ସଂଗୀତ ଏବଂ ନୃତ୍ୟ ଟ୍ରୁପ୍ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ । ଏନଜିଟିର ଗାଇଡ଼୍ ଲାଇନ୍ ଅନୁସାରେ ଯାତ୍ରାର ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ, ପୂର୍ତ୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ କରାଯାଇଥିବା ପ୍ରାୟ ୧୫.୩୫ କୋଟି ଟଙ୍କା ଖର୍ଚ୍ଚ ଆକଳନର ପ୍ରସ୍ତାବିତ ବିନିଯୋଗ ବିଷୟରେ ଆଲୋଚନା ହୋଇଥିଲା ।

କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ, ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ଅନିଲ୍ କୁମାର ସାମଲ, କଟକ ପୌର ପରିଷଦ କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ, ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଭିଡିଓ କନ୍ଫରେନ୍ସିଂ  ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.