ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା କଲା ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସର୍ବୋଚ୍ଚ ମର୍ଯ୍ୟାଦାଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ଶ୍ରୀନିବାସ ଉଦଗାତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ମିଳିବ । ୨୦୨୨ ବର୍ଷ ପାଇଁ ସୀତାକାନ୍ତ ମହାପାତ୍ର ଏହି ପୁରସ୍କାର ପାଇବେ । ସେହିପରି ୨୦୨୧ ବର୍ଷ ପାଇଁ ପ୍ରତିଭ ରାୟ ଏହି ପୁରସ୍କାର ପାଇବେ ।

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ । ଓଡ଼ିଆ ସାହିତ୍ୟ ଜଗତର ରଚନାବଳୀ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ହେଉଛି ଏକାଡେମୀ ଦ୍ୱାରା ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ୧୯୯୩ରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି । ଓଡ଼ିଆ କବି ରାଧମୋହନ ଗଡ଼ନାୟକ ପ୍ରଥମେ ଏହି ପୁରସ୍କାର ପାଇଥିଲେ ।

୧୯୯୪ରେ କୃଷ୍ଣଚନ୍ଦ୍ର ତ୍ରିପାଠୀ, ୧୯୯୫ରେ ନଟବର ସାମନ୍ତରାୟ, ୧୯୯୬ରେ ରାଜକିଶୋର ପଟ୍ଟନାୟକ, ୧୯୯୭ରେ ଲକ୍ଷ୍ମୀଧର ନାୟକ, ୧୯୯୮ରେ ଗୌରୀ କୁମାର ବ୍ରହ୍ମା, ୧୯୯୯ରେ ନିତ୍ୟାନନ୍ଦ ମହାପାତ୍ର, ୨୦୦୦ରେ ବିନୋଦ ଚନ୍ଦ୍ର ନାୟକ, ୨୦୦୧ରେ ବସନ୍ତ କୁମାରୀ ପଟ୍ଟନାୟକ, ୨୦୦୨ରେ ଅଚ୍ୟୁତାନନ୍ଦ ପତି, ୨୦୦୩ରେ ଚିନ୍ତାମଣି ବେହେରା, ୨୦୦୪ରେ ମନୋରଞ୍ଜନ ଦାସ, ୨୦୦୫ରେ ଉମାଶଙ୍କର ପଣ୍ଡା, ୨୦୦୬ରେ ସୁଦର୍ଶନ ଆଚାର୍ଯ୍ୟ, ୨୦୦୭ରେ ମନୋଜ ଦାସ, ୨୦୦୮ରେ ମହାପାତ୍ର ନୀଳମଣି ସାହୁ, ୨୦୦୯ରେ ଦାଶରଥି ଦାସ, ୨୦୧୦ରେ ଚନ୍ଦ୍ରଶେଖର ରଥ, ୨୦୧୧ରେ ଗଗନେନ୍ଦ୍ର ନାଥ ଦାଶ, ୨୦୧୨ରେ ବ୍ରଜନାଥ ରଥ, ୨୦୧୩ରେ ଧନେଶ୍ୱର ମହାପାତ୍ର, ୨୦୧୪ରେ ଶାନ୍ତନୁ କୁମାର ଆଚାର୍ଯ୍ୟ, ୨୦୧୫ରେ ମଧୁସୂଦନ ପତି, ୨୦୧୬ରେ ବିଭୂତି ପଟ୍ଟନାୟକ, ୨୦୧୭ରେ ରବି ସିଂ, ୨୦୧୮ରେ ରମାକାନ୍ତ ରଥ, ୨୦୧୯ରେ ବୀଣାପାଣୀ ମହାନ୍ତି, ୨୦୨୦ରେ ରାମଚନ୍ଦ୍ର ବେହେରା ଏହି ସମ୍ମାନ ପାଇଥିଲେ ।