fbpx

ରାମାୟଣ ସର୍କିଟ ଯୋଜନା କ’ଣ ? ଜାଣନ୍ତୁ କେଉଁ କେଉଁ ରାଜ୍ୟଗୁଡ଼ିକୁ ଏଥିରେ କରାଯାଇଛି ସାମିଲ

ନୂଆଦିଲ୍ଲୀ: ରାମାୟଣ ସର୍କିଟ ହେଉଛି କେନ୍ଦ୍ର ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା । ଏହା ଅଧୀନରେ ପ୍ରଭୁ ଶ୍ରୀରାମ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସମସ୍ତ ସ୍ଥାନକୁ ସରକାର ସଂଯୋଗ କରିବାକୁ ଚାହୁଁଛନ୍ତି । ରାମାୟଣ ସର୍କିଟ ଯୋଜନାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୯ ଟି ରାଜ୍ୟରେ ୧୫ ଟି ସ୍ଥାନ ଚିହ୍ନଟ କରିଛି । ଏହି ଯୋଜନା ଅଧୀନରେ ରେଳ, ସଡକ ଏବଂ ବିମାନ ଯାତ୍ରା ମାଧ୍ୟମରେ ଏହି ସମସ୍ତ ସହର ସଂଯୋଗ ହେବ  ।

ଏହି ଯୋଜନା ଅନ୍ତର୍ଗତ ବିକାଶ ପାଇଁ ପ୍ରକଳ୍ପଗୁଡିକ ରାଜ୍ୟ ସରକାର ଏବଂ କେନ୍ଦ୍ର ପ୍ରଶାସନ ସହିତ ପରାମର୍ଶ ପରେ ଚିହ୍ନଟ ହୋଇଛି  । ଏହାକୁ ପଡୋଶୀ ଦେଶ ସହିତ ମଧ୍ୟ ସଂଯୋଗ କରିବାକୁ ସରକାର ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାମାୟଣ ସର୍କିଟର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ।

ଦେଶର କେଉଁ ରାଜ୍ୟରେ ରାମାୟଣ ସର୍କିଟ?

ରାମାୟଣ ସର୍କିଟରେ ଆସୁଥିବା ରାଜ୍ୟଗୁଡ଼ିକ ହେଉଛନ୍ତି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ  । ଉତ୍ତରପ୍ରଦେଶର ଅଯୋଧ୍ୟା, ଶ୍ରୃଙ୍ଗଭେରପୁର, ନନ୍ଦିଗ୍ରାମ ଏବଂ ଚିତ୍ରକୋଟ, ସୀତାମାଢ଼ି, ବକ୍ସର, ବିହାରର ଦରଭଙ୍ଗା ଏହି ପ୍ରକଳ୍ପର ଏକ ଅଂଶ । ମଧ୍ୟପ୍ରଦେଶର ଚିତ୍ରକୋଟ, ଛତିଶଗଡର ଜଗଦଲପଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ଅନ୍ୟପକ୍ଷରେ ଓଡିଶାର ମହେନ୍ଦ୍ରଗିରି ଏବଂ ତେଲେଙ୍ଗାନାର ଭଦ୍ରାଚଳନ, ତାମିଲନାଡୁର ରାମେଶ୍ୱରମ୍ ଏବଂ କର୍ଣ୍ଣାଟକର ହମ୍ପିକୁ ରାମାୟଣ ସର୍କିଟ ପ୍ରକଳ୍ପର ଏକ ଅଂଶ କରାଯାଇଛି ।  ମହାରାଷ୍ଟ୍ରର ନାଗପୁର ଏବଂ ନାଶିକ ସହର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ମୋଟ ଉପରେ ପୂର୍ବରୁ ଦକ୍ଷିଣ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଏହି ପ୍ରକଳ୍ପର ଏକ ଅଂଶ ହୋଇପାରିଛନ୍ତି ।

ରାମାୟଣ ସର୍କିଟ ଯୋଜନାରେ କ’ଣ?

ରାମାୟଣ ସର୍କିଟ ଯୋଜନା ଅଧୀନରେ ଏହି ସବୁ ସହରରେ ପରିବହନ ବ୍ୟବସ୍ଥାକୁ ମଜବୁତ କରାଯିବ ଏବଂ ଏଥି ସହିତ ରେଳ ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ । ୧୫ ଟି ମନୋନୀତ ସହର ମଧ୍ୟରୁ ଯେଉଁଠାରେ ବିମାନବନ୍ଦର ନାହିଁ, ଏକ ନୂଆ ବିମାନବନ୍ଦର ନିର୍ମାଣ ହେବ  । ସମସ୍ତ ସହର ଜାତୀୟ ରାଜପଥ ଦ୍ୱାରା ସଂଯୋଗ ହେବ  । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ରାମାୟଣ ସର୍କିଟ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇବାକୁ ଚେଷ୍ଟା କରୁଛି । ସରକାର ଏହି ପ୍ରକଳ୍ପଗୁଡିକ ଉପରେ ଶୀଘ୍ର କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଯଥାଶୀଘ୍ର ତାହା ସମ୍ପୂର୍ଣ୍ଣ ହୋଇପାରିବ ।

Get real time updates directly on you device, subscribe now.