fbpx

ରାତି ପାହିଲେ ଦେବସ୍ନାନ ପୁର୍ଣ୍ଣିମା: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଦେବସ୍ନାନ ପୁର୍ଣ୍ଣିମା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ରାତି ପାହିଲେ ମହା ସ୍ନାନ କରିବେ ମହାପ୍ରଭୁ । ଏବେଠାରୁ ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏବେଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିଲେଣି । ତେବେ ଦେବସ୍ନାନ ନୀତି ପାଇଁ ଆଜି ରାତି ୧୦ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ(୧୬ ଘଣ୍ଟା) ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ।

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଭୋର ସମୟରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ । ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି । ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ ।

ଦେବସ୍ନାନ ପୂର୍ଣ୍ଣିମା ସୁରୁଖୁରୁରେ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ ଭିତର ସେବାୟତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସଅଳ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଥିଲା । ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମନ୍ଦିରର ନୀତିକାନ୍ତି ଉପରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ ।

Get real time updates directly on you device, subscribe now.