fbpx

ତାତିରୁ ମିଳୁନି ମୁକ୍ତି: ଜଳୁଛି ପଶ୍ଚିମ ଓଡ଼ିଶା, ଆହୁରି ଦୁଇ ଚାରିଦିନ ରହିବ ପ୍ରଭାବ

ଭୁବନେଶ୍ୱର: ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ପଶ୍ଚିମ ଓଡ଼ିଶା କିନ୍ତୁ ତତଲା କଡେଇରେ ଭାଜି ହେଉଛି । ସତେ ଯେପରି ପଶ୍ଚିମ ଓଡ଼ିଶା ଜଳୁଛି । ସେହିପରି ଉପକୂଳ ଓଡ଼ିଶାରେ ତାତିର ପ୍ରଭାବ କମ୍ ଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୭୧ ପ୍ରତିଶତ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ଦୁଇ ଚାରିଦିନ ତାତିର ପ୍ରଭାବ ଜାରି ରହିବ ବୋଲି ମଧ୍ୟ କୁହାଯାଇଛି । ଶନିବାର ସମ୍ବଲପୁର ୪୪.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ସେହିପରି ଟିଟିଲାଗଡ଼, ସୋନପୁର ଓ ଝାରସୁଗୁଡ଼ାର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିବାବେଳେ ଭବାନୀପାଟଣାରେ ୪୩.୨, ହୀରାକୁଦରେ ୪୩.୧, ବଲାଙ୍ଗୀରରେ ୪୪, ନୂଆପଡ଼ାରେ ୪୨, ବରଗଡ଼ରେ ୪୨.୨, ମାଲକାନଗିରିରେ ୪୨, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିଭଳି ରାଉରକେଲାରେ ୪୧.୮, ଭଦ୍ରକରେ ୪୦, ଅନୁଗୋଳରେ ୪୦.୧, ପାରଳାଖେମୁଣ୍ଡି ଓ କଟକରେ ୪୦ ଏବଂ ବାରିପଦାରେ ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାତି ପାହିବା ମାତ୍ରେ ସୂର୍ଯ୍ୟଙ୍କର ପ୍ରକୋପ ଆରମ୍ଭ ହୋଇଯାଉଛି । ଘରେ ଓ ବାହାରେ ସବୁଠି ତାତିର ରାଜୁତି । ପ୍ରଚଣ୍ଡ ତାତି ସାଙ୍ଗକୁ ଘନଘନ ବିଜୁଳିକାଟ ଜନଜୀବନକୁ ଅଧିକ ସଙ୍ଗୀନ କରିପକାଉଛି । ଯଦିଓ ବିଭାଗୀୟ ମନ୍ତ୍ରୀ ପାୱାରକଟକୁ ଅସ୍ୱୀକାର କରୁଛନ୍ତି, କିନ୍ତୁ ଏକଥା ସତ ଯେ ବିନା ନୋଟିସରେ ଘଣ୍ଟା ଘଣ୍ଟା ଧରି ଲାଇନ୍ ଯାଉଥିବାରୁ ଲୋକଙ୍କ ସହ ହସ୍ପିଟାଲରେ ରହୁଥିବା ରୋଗୀମାନେ ଦୟନୀୟ ଅବସ୍ଥା ଭୋଗୁଛନ୍ତି । ଆସନ୍ତା ୪ ତାରିଖ ଭିତରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ଥିବାବେଳେ ଏହାର ୮ରୁ ୧୦ ଦିନ ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.