fbpx

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ସଜେଇ ହେଉଛି ସ୍ନାନବେଦୀ, ସୁରକ୍ଷା କଡ଼ାକଡ଼ି

ପୁରୀ: ରବିବାର ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହାତୀ ବେଶରେ ଦେଖି ଶ୍ରଦ୍ଧାଳୁ ବିମୋହିତ ହେବେ । ରାତି ପାହିଲେ ଶ୍ରଦ୍ଧାଳୁମାନେ ଏହି ଦିବ୍ୟ ଅନୁଭୂତି ପାଇବା ପାଇଁ ବ୍ୟାକୁଳ ହୋଇ ଚାହିଁ ବସିଛନ୍ତି । ଏଣୁ ସ୍ନାନ ମଣ୍ଡପ ଓ ବଡ଼ଦାଣ୍ଡ ସଜେଇ ହେବାରେ ଲାଗିଛି । ସ୍ନାନ ମଣ୍ଡପକୁ ଚିତ୍ରକରମାନେ ପାରମ୍ପରିକ ରଙ୍ଗରେ ସୁସଜ୍ଜିତ କରୁଛନ୍ତି । ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

ବେଶ ପୂର୍ବରୁ ଠାକୁରଙ୍କୁ ଲାଗି ହେବ ଜଳ । ସୁନା କୂଅରୁ ୧୦୮ ଗରା ଜଳ ଆସି ଠାକୁରଙ୍କୁ ସ୍ନାନ କରାଯିବ । ଏଥିପାଇଁ ଶନିବାର କୂଅକୁ ଉଝୁଳା ଯାଇଛି । ଶ୍ରୀ ବଳଭଦ୍ରଙ୍କ ପାଇଁ ଧଳା ରଙ୍ଗର ବେଶ ପ୍ରସ୍ତୁତ କରାଯାଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳା ରଙ୍ଗର ବେଶ ପ୍ରସ୍ତୁତ କରାଯାଉଛି । ଠାକୁରଙ୍କ ଶ୍ରୀ ମସ୍ତକ ପାଇଁ ତରାସ ଓ ତାର ନିମ୍ନ ଅଂଶ ପାଇଁ ଡାଳି ନିର୍ମାଣ ହୋଇଛି । ମୁଖାରବିନ୍ଦରେ କିଆ ଫଳି ଲାଗି କରାଯିବ ।

ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡ଼ହସ୍ତ, ଅଧର, ତୋରନା ଓ ଗଜକୁମ୍ଭ ମଧ୍ୟ ତିଆରି କରାଯାଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ଦୁଇଟି ତଡକି, ନାକୁଆସି, ତରାସ, ଛତି ଓ ଚୁଳ ଏବଂ ଚିତା ଆଦି ବେଶ ପ୍ରସ୍ତୁତ କରାଯାଇଛି । ସେହିପରି ମହାପ୍ରଭୁ ସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ପତ୍ର, ଚୂଳ ଓ ଓଲାର ତିଆରି କରାଯାଉଛି । ପଟୁଆରରେ ବେଶ ବିଜେ ହୋଇ ସ୍ନାନ ମଣ୍ଡପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ଏଥିନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶନିବାର ପୁରୀ ଏସ୍ପି ଓ କେନ୍ଦ୍ରାଞ୍ଚଳ ଆଇଜି ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ।

Get real time updates directly on you device, subscribe now.