fbpx

ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲଦଣ୍ଡ: ୫ ବର୍ଷ ପର୍ଯ୍ୟନ୍ତ ଲଢ଼ିପାରିବେନି ନିର୍ବାଚନ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲଦଣ୍ଡାଦେଶ ହୋଇଛି । ତୋଶଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କ ବିରୋଧରେ ଏହି ଦଣ୍ଡାଦେଇ ଶୁଣାଇଛନ୍ତି କୋର୍ଟ । ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ପାକିସ୍ତାନ ତେହରିକ-ଇ-ଇନତାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନଙ୍କୁ ଏହି ଦଣ୍ଡାଦେଇ ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ତେବେ କୋର୍ଟଙ୍କ ଏହି ଶୁଣାଣି ପରେ ଏବେ ଇମ୍ରାନ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେନି । ତେଣୁ ଏବେ ଇମ୍ରାନଙ୍କର ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇମ୍ରାନଙ୍କୁ ତାଙ୍କର ଜମାନ ପାର୍କ ସ୍ଥିତ ବାସଭବନରୁ ଗିରଫ କରାଯାଇଥିବା ପିଟିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ତେବେ କୋର୍ଟ ଇମ୍ରାନଙ୍କୁ ୩ ବର୍ଷର ଜେଲଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଆଦେଶ ଦେଇଛନ୍ତି । ଏହି ଅର୍ଥ ପରିଶୋଧ ନେଇ ଅକ୍ଷମ ହେଲେ ସେ ଅତିରିକ୍ତ ୬ ମାସ ଜେଲରେ ରହିପାରିବେ ।

କୋର୍ଟଙ୍କ ଦଣ୍ଡାଦେଶ ପରେ ପୋଲିସ ପକ୍ଷରୁ ଏକ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିଲା । ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ବାସଭବନରୁ ଗିରଫ କରାଯାଇଥିବା ତାଙ୍କର ଓକିଲ ସୂଚନା ଦେଇଥିଲେ । କ୍ଷମତାରେ ରହିଥିବା ସମୟରେ ଉପହାର ଗ୍ରହଣ କରିବାକୁ ନେଇ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେଣୁ ପିଟିଆଇ ଅଧ୍ୟକ୍ଷ ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣିତ ହୋଇଥିବା ବିଚାରପତି ଗୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ଇମ୍ରାନଙ୍କୁ ନେଇ ଦୀର୍ଘଦିନ ଧରି କୋର୍ଟରେ ମାମଲା ବିଚାରାଧୀନ ରହିଥିଲା । ଏହା ପୂର୍ବରୁ ଗତ ମେ ମାସରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କର ହଜାର ହାଜାର ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ହିଂସାତ୍ମକ ପ୍ରତିବାଦ ଆରମ୍ଭ କରିଥିଲେ । କରାଚୀ, ଲାହୋର, ଇସଲାମାବାଦ ଓ ରାୱଲପିଣ୍ଡି ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡ଼ାଜଳା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.