୭୦ ବର୍ଷୀୟ ଇମ୍ରାନ ଖାନଙ୍କୁ ଗିରଫ କଲା ପୋଲିସ: ତୋଶଖାନା ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନଙ୍କୁ ପାକିସ୍ତାନ ଜିଲ୍ଲା ଓ ସେସନ୍ସ କୋର୍ଟ ୩ ବର୍ଷର ଜେଲଦଣ୍ଡାଦେଶ ଓ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଇମ୍ରାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ଆଗତ ହୋଇଥିବା ଯାଚିକା ଖାରଜ ହୋଇଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲା ।

ତେବେ ୭୦ ବର୍ଷୀୟ ଇମ୍ରାନଙ୍କୁ ଏବେ ପୋଲିସ ଗିରଫ କରିବା ପରେ ତାଙ୍କର ମୁସ୍କିଲ ବଢ଼ିଯାଇଛି । କୋର୍ଟର ନିର୍ଦ୍ଦେଶ ପରେ ସେ ଏବେ ୫ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ । ତେଣୁ ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଇମ୍ରାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ମାହୋଲ ସରଗରମ୍ ରହିଛି । ତେଣୁ ପୋଲିସ ପକ୍ଷରୁ ଇମ୍ରାନଙ୍କ ଜମାନ ପାର୍କ ସ୍ଥିତ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହିତ ଜମାନ ପାର୍କ ରୋଡ଼ରେ ଯାତାୟାତ ଉପରେ ରୋକ ଲାଗୁ କରାଯାଇଛି ।

ତୋଶଖାନା ମାମଲାରେ ଆଶ୍ୱସ୍ତି ମିଳିବା ନେଇ ପୂର୍ବରୁ ଇମ୍ରାନ ଯାଚିକା ଦାୟର କରିଥିଲେ । ମାତ୍ର ପାକସ୍ତାନର ସୁପ୍ରିମକୋର୍ଟ ତାହାକୁ ଖାରଜ କରିଦେଇଥିଲେ । ପିଟିଆଇର ଅଧ୍ୟକ୍ଷ ତୋଶଖାନାରୁ ଉପହାର ଆଣି ଜାଣିଶୁଣି ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ଟ୍ରାୟଲ କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟଙ୍କ ନିଷ୍ପତ୍ତି ପରେ ପିଟିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏହା ଏକ ଲଜ୍ଜାଜନକ ଓ ଘୃଣିତ ବିଷୟ । ଇମ୍ରାନଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରିବା ଓ ଜେଲ ପଠାଇବା ନେଇ ଷଡ଼ଯନ୍ତ୍ର କରାଯାଇଛି । ତୋଷଖାନା ମାମଲାରେ ଜିଲ୍ଲା ଓ ସେସନ୍ସ ଜଜ୍ ବହୁତ ପକ୍ଷପାତିତାପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ପିଟିଆଇ ପକ୍ଷରୁ କୁହାଯାଇଛି ।