fbpx

ରାତି ଅଧରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବଢାଇଦେଲେ ସରକାର, ଦେଶରେ ଖେଳିଯାଇଛି ହାହାକାର

ନୂଆଦିଲ୍ଲୀ:ଆର୍ଥିକ ସଙ୍କଟ ମଧ୍ୟରେ ଫସିରହିଥିବା ପାକିସ୍ତାନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପୁଣି ଦେଶର ଜନତାଙ୍କ ଉପରେ ଦରବୃଦ୍ଧିର ବଡ ଏକ ବିସ୍ଫୋରଣ ଘଟିଛି । ଶାହବାଜ ସରିଫ ସରକାରଙ୍କ କାର୍ଯ୍ୟକାଳ ସରିବା ପରେ ସୋମବାର ଦେଶରେ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି । ଏହାପରେ ଦେଶର ଜନତାଙ୍କ ଉପରେ ପୁଣି ଏକ ବଡ ଆର୍ଥିକ ବୋଝ ଲଦି ହୋଇପଡିଛି । ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅଚାନକ ବୃଦ୍ଧି ପାଇଛି । ଏବେ ପାକିସ୍ତାନରେ ଇନ୍ଧନର ମୂଲ୍ୟ ରେକର୍ଡ ଉଚ୍ଚ ସ୍ତରରେ ରହିଛି ।

ପାକିସ୍ତାନର ଏକ ସମ୍ବାଦପତ୍ରର ରିପୋର୍ଟ ଅନୁସାରେ କାର୍ଯ୍ୟବାହକ ସରକାର ମଙ୍ଗଳବାର ରାତି ଅଧରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କରିଦେଇଛନ୍ତି । ଏବେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୧୭ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୨୯୦ଟଙ୍କା ୪୫ ପଇସାରେ ପହଞ୍ଚିଛି । ଏହା ସହିତ ହାଇ ସ୍ପିଡ ଡିଜେଲର ମୂଲ୍ୟ ୨୦ ଟଙ୍କା ବୃଦ୍ଧି ପାଇଛି । ଏହାପରେ ଡିଜେଲର ଲିଟର ପ୍ରତି ମୂଲ୍ୟ ୨୯୩ଟଙ୍କା ୪୦ ପଇସାରେ ପହଞ୍ଚିଛି ।

ପାକିସ୍ତାନର ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ମୁଲ୍ୟ ବୃଦ୍ଧିର କାରଣ ଦର୍ଶାଯାଇଛି । ଇନ୍ଧନର ନୂଆ ମୂଲ୍ୟ ବୁଧବାର ୧୬ ଅଗଷ୍ଟରୁ ଲାଗୁ କରିଦିଆଯାଇଛି । କାର୍ଯ୍ୟବାହକ ସରକାରଙ୍କ ଏହି ନିଷ୍ପତ୍ତିରେ ପାକିସ୍ତାନରେ ହାହାକାର ଖେଳି ଯାଇଛି । ପୂର୍ବରୁ ମହଙ୍ଗା ମାଡରେ ଚେପା ହୋଇ ରହିଥିବା ପାକିସ୍ତାନ ଜନତା ଏବେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ହତାଶ ହୋଇପଡିଛନ୍ତି । ତେବେ ଏ ସମ୍ବନ୍ଧରେ ବିଜ୍ଞପ୍ତିରେ କୁହାଯାଇଛି ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଇବାରୁ ସରକାର ଦେଶରେ ଦରବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.