ବିପଦ ସମୟରେ କାହିଁକି ଇସ୍ରାଏଲକୁ ଭାଇ ଭଳି ସାଥ୍ ଦେଉଛି ଆମେରିକା?
ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ରକେଟ୍ ମାଡ କରିଚାଲିଛି ହମାସ। ସେହିପରି ପ୍ରତିଆକ୍ରମଣରେ ଇସ୍ରାଏଲ ଗାଜା ସହରକୁ ଘେରାବନ୍ଦୀ କରିବାକୁ ଯାଇ ଘନ ଘନ ଆକ୍ରମଣ ମଧ୍ୟ କରିଚାଲିଛି । ଯେଉଁଥିରେ ଅନେକ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏଭଳି ଯୁଦ୍ଧ ଭିତରେ ଇସ୍ରାଏଲକୁ ଆମେରିକା ସାମରିକ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଇସ୍ରାଏଲକୁ ବିଭିନ୍ନ କ୍ଷେପଣାସ୍ତ୍ର ଯୋଗାଇଛି ଆମେରିକା । ଆଜି ଷଷ୍ଠ ଦିନରେ ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲର ଶକ୍ତି ବଢ଼ାଇଦେଇଛି ଆମେରିକା ।
ସୂଚନା ଥାଉକି, ଆଜି ଇସ୍ରାଏଲର ତେଲ ଅଭିବରେ ପହଞ୍ଚିଥିଲେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । ଇସ୍ରାଏଲ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିବା ପରେ ବ୍ଲିଙ୍କେନ କହିଥିଲେ, ବର୍ତ୍ତମାନ ଆମେ ଏକଜୁଟ ହୋଇ ଲଢିବୁ ଏବଂ ଆମେ ଏଠାରୁ କେଉଁଠିକୁ ଯାଉନାହୁଁ । ଆମେରିକାର ବୈଦେଶିକ ସଚିବଙ୍କ ଏହି ଗସ୍ତ ପାଲେଷ୍ଟାଇନ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଯୁଦ୍ଧକୁ ଶେଷ କରିବାକୁ ଏକ ପ୍ରୟାସ ହେବ। ଆମେରିକାର ଶୀର୍ଷ କୂଟନୀତିଜ୍ଞମାନେ ମଧ୍ୟ ଦୁଇ ଦେଶର ନେତାଙ୍କ ବୈଠକରେ ଅଂଶଗ୍ରହଣ କରିବେ ଏବଂ ଯୁଦ୍ଧର ସମାଧାନ ଉପରେ ଆଲୋଚନା କରାଯିବ।
ଅନ୍ୟପଟେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଲଢ଼େଇ ହେବା ପ୍ରାରମ୍ଭରୁ ଇସ୍ରାଏଲକୁ ୮ ଶହ କୋଟି ଡଲାର ମୂଲ୍ୟର ଜରୁରୀକାଳୀନ ସାମରିକ ସହାୟତା ଦେଇଥିଲା ଆମେରିକା । ଏହା ପରେ ପାଲେଷ୍ଟାଇନକୁ ବିରୋଧ କରି ଇସ୍ରାଏଲ ସପକ୍ଷରେ ବାହାରିଥିଲା ଆମେରିକା । ଏହା ସହ ଇସ୍ରାଏଲକୁ ସାମରିକ ସହଯୋଗ ମଧ୍ୟ କରିଛି ଆମେରିକା । ସେହିପରି ଏବେ ବୈଦେଶିକ ସଚିବକୁ ଇସ୍ରାଏଲ ପଠାଇ ଏକତା ପ୍ରଦର୍ଶନ କରିଛି ଆମେରିକା । ଏହି ଗସ୍ତ ଅବସରରେ ‘ଆମେ ଏକଜୁଟ ହୋଇ ଲଢିବୁ’ ବୋଲି ମଧ୍ୟ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି । ତେବେ ଏଭଳି ଯୁଦ୍ଧ ଭିତରେ କାହିଁକି ଇସ୍ରାଏଲକୁ ଭାଇ ଭଳି ସାଥ୍ ଦେଉଛି ଆମେରିକା ତାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି ।