fbpx

ସଂସଦ ମଝିରେ ହୃଦଘାତ ଶିକାର ହେଲେ ବରିଷ୍ଠ ନେତା: ଇସ୍ରାଏଲ-ହମାସ ବିବାଦକୁ ନେଇ ଦେଉଥିଲେ ଭାଷଣ

ନୂଆଦିଲ୍ଲୀ: ତୁର୍କୀ ସଂସଦରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ୫୩ ବର୍ଷିୟ ଜଣେ ଆଇନଜୀବୀ ଇସ୍ରାଏଲ-ହାମାସ ବିବାଦ ଉପରେ ଭାଷଣ ଦେବା ସମୟରେ ହଠାତ ହୃଦଘାତ ହେବା ଯୋଗୁ ସେହିଠାରେ ହିଁ ପଡ଼ିଯାଇଥିଲେ। ସାଡେଟ ପାର୍ଟି ନେତା ହାସନ ବିଟମେଜ ଭାଷଣ ଦେବା ସମୟରେ ହଠାତ ଆଣ୍ଠୁମାଡ଼ି ତଳେ ପଡ଼ିଯାଇଥିଲେ। ତେବେ ବେହୋସ ହେବା ପୂର୍ବରୁ ବିଟମେଜ କହିଛନ୍ତି ଯେ- “ଆମେ ହୁଏତ ନିଜ ବିବେକଠାରୁ ଲୁଚି ପାରିବା କିନ୍ତୁ ଇତିହାସଠାରୁ ନୁହେଁ।”

ବିବିସି ରିପୋର୍ଟ ଅନୁଯାୟୀ ସେ ବିଟମେଜ ନିଜ ଭାଷଣରେ “ଇସ୍ରାଏଲ ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇପାରିବ ନାହିଁ” ବୋଲି ଘୋଷଣା କରିଛନ୍ତି। ତେବେ ଏହା କହିବା ପରେ ସେ ହଠାତ ଭୂମିରେ ପଡ଼ିଯାଇଥିଲେ । ତେବେ ଏ ସମସ୍ତ ଘଟଣା ଭିଡିଓ ଫୁଟେଜରେ କଏଦ ହୋଇଛି । ବିଟମେଜ ହଠାତ ବେହୋଶ ହୋଇ ତଳେ ପଡ଼ିଯାଇଥିଲେ । ତେବେ ତାଙ୍କୁ ତୁରନ୍ତ ଜରୁରୀକାଳୀନ ଅବସ୍ଥାରେ ସି.ପି.ଆର ଦିଆଯାଇଥିଲା । ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଫାହରେଟିନ କୋକା ପ୍ରକାଶ କରିଛନ୍ତି ଯେ ବିଟମେଜ ଆଗରୁ ମଧୁମେହରେ ଆକ୍ରାନ୍ତ ଥିଲେ । ଏହା ସହିତ ତାଙ୍କ ହାର୍ଟରେ ଆଗରୁ ଅସ୍ତ୍ରୋପଚାର କରାଯାଇ ୨ଟି ଷ୍ଟେଣ୍ଟ ଲଗାଯାଇଛି । ତେବେ ବର୍ତ୍ତମାନ ବିଟମେଜଙ୍କ ଅବସ୍ଥା ଗୁରୁତର ରହିଥିବା ସେ ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ବିଟମେଜଙ୍କୁ ଅଙ୍କାରାର ବିଲକେଣ୍ଟ ସିଟି ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କର ଆଞ୍ଜିଓଗ୍ରାଫି କରିଥିଲେ । ତାଙ୍କ ହାର୍ଟରେ ୨ଟି ସ୍ଥାନରେ ବ୍ଲକେଜ ଥିବା ଡାକ୍ତର ସୂଚନା ଦେଇଛନ୍ତି । ବର୍ତ୍ତମାନ ବିଟମେଜଙ୍କୁ ହାର୍ଟ-ଲଙ୍ଗ ପମ୍ପ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ, ଗତ ବର୍ଷ ଇସ୍ରାଏଲ୍ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇଥିଲା । କିନ୍ତୁ ହାମାସ ଅକ୍ଟୋବର ୭ ରେ ଦକ୍ଷିଣ ଇସ୍ରାଏଲ୍ ଉପରେ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ପୁଣି ଖରାପ ହୋଇଯାଇଥିଲା। ଯଦିଓ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଡୋଗାନ୍ ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଗତ ମାସରେ, ଏରଡୋଗାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ “ଗାଜାର କଂସେଇ” ଆଖ୍ୟା ଦେଇଥିଲେ । ତାଙ୍କୁ ସମଗ୍ର ବିଶ୍ୱରେ ଇହୁଦୀ ବିରୋଧୀ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ। ଅକ୍ଟୋବର ୭ ତାରିଖରେ ସୀମା ଆକ୍ରମଣରେ ହାମାସ ଆତଙ୍କବାଦୀଙ୍କ ମୃତ୍ୟୁ ପାଇଁ ଏରଡୋଗାନ୍ ଇସ୍ରାଏଲ୍ ଉପରେ ବାରମ୍ବାର ଅଭିଯୋଗ କରିଛନ୍ତି ।
ଇସ୍ରାଏଲ ବର୍ତ୍ତମାନ ଗାଜାର ହାମାସ ଶାସକମାନଙ୍କ ବିରୁଦ୍ଧରେ ଆକ୍ରମଣ ଅଭିଯାନ ଜାରି ରଖିଛି । ତେବେ ଏହା କେତେ ଦିନ ଧରି ଚାଲିବ ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ ।

ବର୍ତ୍ତମାନ ସୁଦ୍ଧା ଗାଜାରେ ୧୭,୭୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟି ସାରିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ମହିଳା ଏବଂ ଶିଶୁ ବୋଲି ହାମାସ ନିୟନ୍ତ୍ରିତ ଅଞ୍ଚଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି। ଘାଜାର ୨.୩ ନିୟୁତ ଲୋକଙ୍କର ପ୍ରାୟ ୯୦ ପ୍ରତିଶତ ଅବରୋଧିତ ଅଞ୍ଚଳ ମଧ୍ୟରେ ବିସ୍ଥାପିତ ହୋଇ ଅଛନ୍ତି । ଏ ନେଇ ମିଳିତ ଜାତିସଂଘ ଏଜେନ୍ସି କହିଛି ଯେ ଏଠାରୁ ପଳାୟନ କରିବା ପାଇଁ କୌଣସି ସୁରକ୍ଷିତ ସ୍ଥାନ ନାହିଁ।

Get real time updates directly on you device, subscribe now.