ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ବୋଧେ ଭଗବାନଙ୍କ ଭରସାରେ ଚାଲୁଛି । ଗତ କିଛିଦିନ ତଳେ ଜଣେ ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥାର ସାମାନ୍ୟତମ ତ୍ରୁଟିର ଫାଇଦା ନେଇ ଏୟାରୋବ୍ରିଜ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଥିବା ବେଳେ ଆଜି ପୁଣି ଜଣେ ବ୍ୟକ୍ତି ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିବା ଏକ ବିମାନ ଆଗରେ ଯାଇ ଛିଡା ହୋଇଯାଇଥିଲେ ।ତେବେ ସୌଭାଗ୍ୟବଶତଃ ଠିକ୍ ସମୟରେ ପାଇଲଟଙ୍କ ନଜର ଏହି ବ୍ୟକ୍ତିଙ୍କ ଉପରେ ପଡିଯାଇଥିଲା ଓ କାଳ ବିଳମ୍ବ ନ କରି ବିମାନକୁ ରୋକିଦିଆଯାଇଥିଲା । ଅନ୍ୟଥା ଆଜି ରନୱେ ଉପରେ ଛିଡା ହୋଇଥିବା ଏହି ବ୍ୟକ୍ତିଙ୍କ ସହିତ ଶହ ଶହ ଯାତ୍ରୀଙ୍କ ଜୀବନ ବି ବିପଦରେ ପଡିଯାଇଥାନ୍ତା ।
ଏୟାରପୋର୍ଟ ସୂତ୍ର ଅନୁସାରେ ଶନିବାର ବିଳମ୍ବିତ ରାତ୍ରୀ ପ୍ରାୟ ୧୧ଟା ୫୦ମିନିଟ୍ ସମୟରେ ଏକ ବିମାନ ଉଡାଣ ଭରିବା ସମୟରେ ପାଇଲଟ୍ଙ୍କ ନଜର ପଡିଲା କି ରନୱେ ଉପରେ କେହି ଜଣେ ବ୍ୟକ୍ତି ଚଲାବୁଲା କରୁଛନ୍ତି । ଏହାପରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ପାଇଲଟ୍ ତତ୍କ୍ଷଣାତ୍ ଇମର୍ଜେନ୍ସି ବ୍ରେକ୍ ଲଗାଇ ଦେଇଥିଲେ । ଏହାପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ(ଏଟିସି)କୁ ଏହି ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଇଥିଲେ । ଏହାପରେ ଏଟିସି ଏୟାରପୋର୍ଟ ଅପରେସନ କଣ୍ଟ୍ରୋଲ ସେଣ୍ଟରକୁ ଏ ବିଷୟରେ ସୂଚନା ଦେଇ ରନ ୱେ ପରିଷ୍କାର କରିବାକୁ କହିଥିଲେ । ଏହାପରେ ସିଆଇଏସଏଫ୍ ଟିମ୍ ସେଠାରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ ଓ ଯୁବକ ଜଣଙ୍କ ପ୍ରବଳ ମଦ୍ୟପାନ କରିଥିବାର ଜଣାପଡିଥିଲା । ରନୱେ କ୍ଲିୟର ହେବା ପରେ ବିମାନ ଉଡାଣ ଭରିଥିଲା ।