ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।
ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେଡିରୁ ୩ ଜଣ ନେତା ବହିଷ୍କୃତ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଗୟାଧର ପରିଡ଼ାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଅନିମା କହଁର ଓ ଜିଲ୍ଲା ବିଜେଡି ସମ୍ପାଦକ ରାଜେନ୍ଦ୍ର କହଁରଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ।