fbpx

ଢେଙ୍କାନାଳ ସଂସଦୀୟ କ୍ଷେତ୍ର: ବିଜେଡିର ବିଜୟ ରଥକୁ ଅଟକାଇବାକୁ ପ୍ରୟାସ କରିବେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମେ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟିଂ ହେବ । ତେବେ ଏଥର ଚର୍ଚ୍ଚାର ଅନ୍ୟତମ ଆକର୍ଷଣ ସାଜିଛି ଢେଙ୍କାନାଳ ଲୋକସଭା ଆସନ ।

ଏଥର ଢେଙ୍କାନାଳ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି । ଏହି ଆସନ ପାଇଁ ଏଥର ବିଜେଡି ନୂଆ ଚେହେରା ଭାବେ ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ତାଙ୍କର ଦାଦା ତଥା ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ସହଯୋଗରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ବିଜେପି ତା’ର ପୁରୁଣା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନମତ ଓ ନିଜର ଅଭିଜ୍ଞତାକୁ ଆଧାର କରି ରୁଦ୍ର ଏଥର ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବାପାଙ୍କର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ସସ୍ମିତା ବିଜୟ ପାଇଁ ଆଶାବାଦୀ ରହିଛନ୍ତି ।

ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ୫ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ର ୪.୮୭ ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହ ୮୦ ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ତଥାଗତ ଶତପଥୀ ୪.୫ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ର ୩.୧୫ ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମଲ ୨.୧୩ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୦୯ ଓ ୨୦୦୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ତଥାଗତ ବିଜୟୀ ହୋଇଥିଲେ । ୨୦୦୪ ମସିହା ପରଠାରୁ ବିଜେଡି ଏହି ଆସନରୁ କ୍ରମାଗତ ଭାବେ ଜିତି ଆସୁଛି । ୧୯୯୯ରେ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ବିଜୟୀ ହୋଇଥିବା ବେଳେ ୧୯୯୮ରେ ବିଜେଡି ପ୍ରାର୍ଥୀ ତଥାଗତ ଜିତିଥିଲେ । ୧୯୯୬ ଓ ୧୯୯୧ରେ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ବିଜୟୀ ହୋଇଥିଲେ । ତେବେ କ୍ରମାଗତ ଚତୁର୍ଥ ଥର ଏହି ଆସନରୁ ଜିତି ଆସିଥିବା ବିଜେଡିର ତା’ର ଯାତ୍ରାକୁ ଜାରି ରଖିବାକୁ ପ୍ରୟାସ କରିବ । ଅନ୍ୟପକ୍ଷରେ ବିଜେଡିର ବିଜୟରଥରେ ରୋକା ଲଗାଇବାକୁ ପ୍ରୟାସ କରିବେ ବିଜେପି ଓ କଂଗ୍ରେସ ।

Get real time updates directly on you device, subscribe now.