କେଦାରନାଥରେ ଭୂସ୍ଖଳନ ନେଲା ୩ ତୀର୍ଥଯାତ୍ରୀଙ୍କ ଜୀବନ, ୮ ଆହତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଚିଡୱାସା ନିକଟରେ ରବିବାର ଦିନ ହୋଇଥିବା ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, କେଦାରନାଥ ମାର୍ଗରେ ଏହି ଅଘଟଣ ଘଟିଛି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ।

ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମୃତଦେହକୁ SDRF, ଜିଲ୍ଲା ପୋଲିସକୁ ହସ୍ତାନ୍ତର କରିଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଅଘଟଣରେ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ମୁଁ ଏନେଇ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ଭଲ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଭକ୍ତମାନେ ଗୌରୀକୁଣ୍ଡରୁ କେଦାରନାଥ ଧାମ ଅଭିମୁଖେ ଯାଉଥିଲେ। ଚାର ଧାମ ଯାତ୍ରା ପାଇଁ ଭାରତ ତଥା ବିଦେଶରୁ ୨୬ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପଞ୍ଜୀକୃତ କରିଥିଲେ।

ମେ ୧୦ରେ କେଦାରନାଥ ଧାମର ଦ୍ୱାର ଖୋଲିବା ପରଠାରୁ ୧ ଲକ୍ଷରୁ ଅଧିକ ଭକ୍ତ କେଦାରନାଥରେ ପହଞ୍ଚିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ ଭକ୍ତ ଚାର ଧାମ ପରିଦର୍ଶନ କରିସାରିଛନ୍ତି।