ବଡ଼ ଘୋଷଣା: ଅକ୍ଟୋବର ୨୫ରେ ୫ଟି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତି ୧୨ଟା ସମୟରେ ରାଜ୍ୟର ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁଥିଲା । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିମି ରହିଥିଲା । ତେବେ ଏହା ମଧ୍ୟରେ ବାତ୍ୟାର ପ୍ରଭାବ ହ୍ରାସ ପାଇଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ବଡ଼ ସମସ୍ୟା । ବାତ୍ୟା ପରେ ଏବେ ସମୁଦ୍ର ପାଣି ମାଡ଼ି ଆସିବ । ସମୁଦ୍ରରେ ବଡ଼ ଜୁଆର ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଓ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଉଚ୍ଚ ଜୁଆରକୁ ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ରାଜ୍ୟରେ ବାତ୍ୟାର ପ୍ରଭାବ ହ୍ରାସ ପାଇଥିଲେ ହେଁ ଅକ୍ଟୋବର ୨୫ରେ ୫ଟି ରାଜ୍ୟରେ ସ୍କୁଲ ଓ ଅଙ୍ଗନବାଡ଼ କେନ୍ଦ୍ର ବନ୍ଦ ରହିବ । ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଆସନ୍ତାକାଲି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝରରେ ସ୍କୁଲ ଓ ଅଙ୍ଗନବାନି କେନ୍ଦ୍ର ବନ୍ଦ ରହିବ । ବାତ୍ୟା ‘ଦାନା’ ପ୍ରଭାବରେ ଏହି ସବୁ ଜିଲ୍ଲାମାନଙ୍କରେ ଅତ୍ୟଧିକ ବର୍ଷା ଜାରି ରହିଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏଥିସହିତ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଭଦ୍ରକ, ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି ।