କ୍ୟାନସର ସହିତ ସଂଗ୍ରାମ କରୁଛନ୍ତି ବ୍ରିଟେନ୍ ରାଜା, ଚିକିତ୍ସା ପାଇଁ ଭାରତ ଆସିବେ ଚାର୍ଲ୍ସ ଓ କାମିଲା

ଲଣ୍ଡନ: ଭାରତ ଆସିବେ ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟ ଏବଂ ରାଣୀ କାମିଲା । ଏ ନେଇ ବ୍ରିଟିଶ ମିଡିଆ ପକ୍ଷରୁ ଖବର ପ୍ରକାଶ ପାଇଛି । ଭାରତ ଆସିବା ସହ ସେ ବାଂଲାଦେଶ ଓ ପାକିସ୍ତାନ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ଜଣାପଡ଼ିଛି । ଉଭୟ ସରକରୀ ଓ ଚିକିତ୍ସା ପାଇଁ ଚାର୍ଲ୍ସ ଭାରତ ଆସୁଥିବା ଜଣାପଡ଼ିଛି । ଚଳିତ ବର୍ଷ ଜାନୁୟାରୀରେ ଚାର୍ଲ୍ସ କ୍ୟାନସରରେ ଆକ୍ରାନ୍ତ ହେବା ଜଣାପଡ଼ିଥିଲା । ତା’ପରଠାରୁ ସେ ନିଜ ଚିକିତ୍ସା ଜାରି ରଖିଛନ୍ତି । ବ୍ରିଟେନରେ ବ୍ୟାପକ ଚିକିତ୍ସା ବ୍ୟବସ୍ଥା ଥିବା ସତ୍ତ୍ୱେ ଭାରତ ଆସି କ୍ୟାନସର ଚିକିତ୍ସା କରିବା ପଛର କାରଣ କ’ଣ ଜଣାପଡ଼ିନାହିଁ । ତେବେ କ୍ୟାନ୍ସରରେ ଆକ୍ରାନ୍ତ ହେବାପରଠାରୁ ସେ ତିନିମାସ ପାଇଁ ରାଜକାର୍ଯ୍ୟ ଛାଡ଼ି ଦେଇଥିଲେ । ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ଏପ୍ରିଲରେ ସେ ପୁଣିଥରେ ରାଜଗାଦି ସମ୍ଭାଳିଛନ୍ତି ।

କହିରଖୁ ଯେ, ବ୍ରିଟେନ୍ ରାଜା ହେବା ପରେ ଏହା ଚାର୍ଲ୍ସଙ୍କ ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି । ୨୦୨୨ରେ ଚାର୍ଲ୍ସ ଭାରତ ଆସିବାର ଯୋଜନା ଥିଲା । କିନ୍ତୁ ରାଣୀ ଏଲିଜାବେଥଙ୍କ ମୃତୁ୍ୟ ହେବା ଯୋଗୁଁ ସେ ଭାରତ ଆସିପାରି ନ ଥିଲେ । ଆସନ୍ତା ବର୍ଷ ଚାର୍ଲ୍ସ ଭାରତ ଆସିବାକୁ ଥିବାବେଳେ ଏ ନେଇ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ । ତେବେ ରାଜାଙ୍କ ଭାରତ ଗସ୍ତ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯିବା ନେଇ ବ୍ରିଟିଶ ସରକାର ଭାରତ ସହ ଆଲୋଚନା କରିବା ବାକି ରହିଛି । ଚାର୍ଲ୍ସଙ୍କ ବିଦେଶ ଗସ୍ତ ପାଇଁ ଆବଶ୍ୟକୀୟ କାର୍ଯ୍ୟଧାରା ସରିବା ପରେ ସେ ଓ ରାଣୀ ଯାତ୍ରା ଆରମ୍ଭ କରିବେ ।