ବଦଳିଲା ସମୟ: ଏଥର ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହେଉଥିବା ବେଳେ ଏଥର କିନ୍ତୁ ସମୟ ବଦଳିବ । ଜାନୁଆରୀ ୨୬ ବଦଳରେ ଏଥର ଜାନୁଆରୀ ୫ ତାରିଖରୁ ଆଦିବାସୀ ମେଳା ଆରମ୍ଭ ହେବ । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ ହେଉଥିବାରୁ ସେହି ସମୟରେ ରାଜ୍ୟ ସରକାର ବିଭିନ୍ନ ମେଳାର ଆୟୋଜନ କରିବା ସହ ଓଡ଼ିଶାର ସଂସ୍କୃତିର ଝଲକ ପ୍ରବାସୀଙ୍କୁ ଦେଖାଇବାକୁ ଯୋଜନା କରିଛନ୍ତି । ସେଥିପାଇଁ ଜାନୁଆରୀ ୫ ତାରିଖରୁ ରାଜ୍ୟସ୍ତରୀୟ ମେଳା ଆରମ୍ଭ ହୋଇ ତାହା ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ଅନୁଷ୍ଠିତ ହେବ ।

ଏହି ଅବସରରେ ବିଭିନ୍ନ ମେଳା ମାଧ୍ୟମରେ ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତର ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଏଥର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ସୂଚନା ମିଳିଛି । ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାକୁ ଥିବାରୁ ସେଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମେଳାରେ ଆଦିବାସୀଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ବନ୍ୟଜାତ ସାମଗ୍ରୀର ବିକ୍ରି ପାଇଁ ବ୍ୟବସ୍ଥା କରାଯିବ । ଏଥିସହିତ ଆଦିବାସୀଙ୍କ ଗାଁ, କୃତ୍ରିମ ସାଜସଜ୍ଜା, ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ, ଗୀତ, ବାଦ୍ୟଯନ୍ତ୍ର, ଫୁଟ୍ କୋର୍ଟ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ସୂଚନାଯୋଗ୍ୟ ଯେ, ନିକଟରେ କଟକ ବାଲିଯାତ୍ରା ଓ ଭୁବନେଶ୍ୱର ଯାତ୍ରାରେ ଜନସାଧାରଣ ବେଶ୍ ମଜା ଉଠାଇଥିଲେ । ଏହାପରେ ଖୁବଶୀଘ୍ର ରାଜଧାନୀବାସୀଙ୍କ ପାଇଁ ଆସୁଛି ଆଦିବାସୀ ମେଳା । ଏହି ମେଳା ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବେଶ୍ ସହାୟକ ହେବ ।