‘ପୁଷ୍ପା-୨’ ରିଲିଜ ପୂର୍ବରୁ ହିଁ BOରେ ସୃଷ୍ଟି କଲାଣି ଝଡ଼, ହଜାରରୁ ୧୮୦୦ ମଧ୍ୟରେ ମିଳୁଛି ଟିକେଟ

ନୂଆଦିଲ୍ଲୀ: ‘ପୁଷ୍ପା:ଦ ରାଇଜ’ ଫିଲ୍ମର ଆଗାମୀ ପାର୍ଟ ‘ପୁଷ୍ପା: ଦ ରୁଲ’ (ପୁଷ୍ପା-୨) ୫ ଡିସେମ୍ବରରେ ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ଅଛି । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଚଣ୍ଡିଗଡ଼ ଭଳି ସହରରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ହାଇଦ୍ରାବାଦ ସହ ଚେନ୍ନାଇ ଏବଂ କୋଚ୍ଚିରେ ବର୍ତ୍ତମାନ ଆଡଭାନ୍ସ ବୁକିଂ ଆରମ୍ଭ ହୋଇନାହିଁ । ଦିଲ୍ଲୀରେ ଟିକେଟର ମୂଲ୍ୟ ୧,୮୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିସାରିଛି । ମୁମ୍ବାଇ ଏବଂ ବେଙ୍ଗଲୁରୁରେ ସବୁଠୁ ମହଙ୍ଗା ଟିକେଟ ୧,୬୦୦ ଟଙ୍କା ଏବଂ ୧,୦୦୦ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ଏହି ଫିଲ୍ମର ଆଡଭାନ୍ସ ବୁକିଂକୁ ଦେଖି, ବକ୍ସ ଅଫିସ ରେକର୍ଡ ଭାଙ୍ଗିର ସମ୍ଭାବନାମାନ ଦେଖିବାକୁ ମିଳିଛି । ଚଳିତ ବର୍ଷ ୨୦୨୪ର ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ପ୍ରଭାସଙ୍କର ‘କଳ୍‌କି’ ଅଟେ । ବର୍ତ୍ତମାନ ପୁଷ୍ପା ଏହି ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି ।

ତେଲେଙ୍ଗାନା ସରକାର ଅଫିସିଆଲ ରିଲିଜର ଗୋଟିଏ ଦିନ ପୂର୍ବରୁ ୪ ଡିସେମ୍ବରରେ ଫିଲ୍ମ ସ୍କ୍ରିନିଂର ଅନୁମତି ଦେଇଛନ୍ତି । ସିଙ୍ଗଲ-ସ୍କ୍ରିନ ଥିଏଟର୍ ଏବଂ ମଲ୍ଟିପ୍ଲେକ୍ସ ଦୁଇଟିରେ ଉପଲବ୍ଧ ବିଶେଷ ଶୋ ୯ଟା ୩୦ରେ ଆରମ୍ଭ ହେବ । ଥିଏଟର ମାଲିକମାନଙ୍କୁ ୪ ଡିସେମ୍ବରରେ ଏହି ବିଶେଷ ଶୋ ପାଇଁ ଟିକେଟର ମୁଲ୍ୟ ୮୦୦ ଟଙ୍କା ପର୍ଯ୍ୟନ୍ତ ବଢିବାର ଅନୁମତି ରହିଛି । ଫିଲ୍ମର ରିଲିଜ ଦିନ ତେଲେଙ୍ଗାନା ସରକାର ପାଞ୍ଚୋଟି ନିୟମିତ ଶୋ ବ୍ୟତୀତ, ରାତି ୧ଟା ଏବଂ ସକାଳ ୪ଟାରେ ଦୁଇଟି ଅତିରିକ୍ତ ସ୍କ୍ରିନିଂର ଅନୁମତି ଦେଇଛନ୍ତି । ରିପୋର୍ଟ ମୁତାବକ, ଏହି ଅତିରିକ୍ତ ସ୍କ୍ରିନିଂ ପାଇଁ ସିଙ୍ଗଲ-ସ୍କ୍ରିନ ଥିଏଟର ଗୁଡିକୁ ୮ ଡିସେମ୍ବର ପର୍ଯ୍ୟନ୍ତ ଟିକେଟର ମୂଲ୍ୟରେ ୧୫୦ ଟଙ୍କା ପର୍ଯ୍ୟନ୍ତ ବଢାଇବାର ଅନୁମତି ଦିଆଯାଇଛି ।