ବଢୁଛି ଶୀତର ପ୍ରକୋପ, ଥରୁଛି ଓଡିଶା: ଘନ କୁହୁଡି଼ ନେଇ ଏହିସହୁ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ ଅଧିକ ଦେଖିବାକୁ ମିଳୁଛି। ୧୩ଟି ସହରର ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨ ଦିନ ମଧ୍ୟରେ କେତେକ ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ କୋରାପୁଟ। ବିଶେଷକରି, ସୁନ୍ଦରଗଡ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରିଛି ବିଭାଗ। ଗୁରୁବାର ରାଉରକେଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ଶେଷରେ ରାଜ୍ୟରେ ଥଣ୍ତା ଆରମ୍ଭ ହୋଇଥିଲା। ହେଲେ ଏହି ମାସ ଆରମ୍ଭରୁ ମେଘୁଆ ପାଗସାଙ୍ଗକୁ ଝିପିଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ଶୀତ ହଠାତ କୁଆଡେ ଉଭେଇ ଯାଇଥିଲା। ହେଲେ ଗତ ୨ ଦିନ ହେଲାଣୀ ରାଜ୍ୟରେ ଥଣ୍ତାର ପ୍ରକୋପ ଅଧିକ ରହିଛି। ଆସନ୍ତା ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ, ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ସକାଳେ ଓ ସଂନ୍ଧ୍ୟାରେ ରାସ୍ତା କଡରେ ନିଆଁ ପାଖରେ ବସିଥିବା ଦେଖିବାକୁ ମିଳୁଛି।