ନୂଆଦିଲ୍ଲୀ,୨୬ା୩: ଦେଶରେ ଖୁବଶୀଘ୍ର କିଛି ମେଡିସିନର ଦାମ୍ ବୃଦ୍ଧି ପାଇବ। ବିଶେଷକରି କ୍ୟାନସର, ହାର୍ଟ ଏବଂ ଡାଇବେଟିସ୍ ରୋଗର ମେଡିସିନ ମୂଲ୍ୟ ବଢ଼ିବ । ଏହି ସରକାରୀ ନିୟନ୍ତ୍ରିତ ମେଡିସିନର ମୂଲ୍ୟରେ ୧.୭% ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ଅଛି। କୁହାଯାଉଛି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ମେଡିସିନର ମୂଲ୍ୟରେ ବୃଦ୍ଧି ହେବାର ପ୍ରଭାବ ଦୁଇରୁ ତିନି ମାସ ପରେ ଦେଖାଯାଇପାରେ, କାରଣ ୯୦ ଦିନର ଷ୍ଟକ୍ ଅଛି।
ରିପୋର୍ଟ ଅନୁଯାୟୀ, ଅଲ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (AIOCD)ର ସାଧାରଣ ସମ୍ପାଦକ ରାଜୀବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କଞ୍ଚାମାଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚର କ୍ରମାଗତ ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଫାର୍ମା ଶିଳ୍ପକୁ ଆଶ୍ୱସ୍ତି ଦେଇପାରେ ।
ରାସାୟନିକ ପଦାର୍ଥ ଏବଂ ସାର ଉପରେ ସଂସଦୀୟ ସ୍ଥାୟୀ କମିଟି ଅନୁଯାୟୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମେଡିସିନର ମୂଲ୍ୟ ବୃଦ୍ଧି ଏବଂ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (NPPA) ହେଉଛି ଏକ ନିୟାମକ ସଂସ୍ଥା, ମେଡିସିନର ମୂଲ୍ୟ ସ୍ଥିର କରେ। ଫାର୍ମା କମ୍ପାନୀଗୁଡିକ ୩୦୭ ମାମଲାରେ ନିୟମ ଭାଙ୍ଗିଛନ୍ତି।
ଡ୍ରଗ୍ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର (DPCO), ୨୦୧୩ ଅନୁଯାୟୀ NPPA ମେଡିସିନର ସର୍ବାଧିକ ମୂଲ୍ୟ ସ୍ଥିର କରିଛି। ସମସ୍ତ ମେଡିସିନ ଉତ୍ପାଦନକାରୀ ଏବଂ ବିକ୍ରେତାଙ୍କୁ ଏହି ସ୍ଥିର ମୂଲ୍ୟରେ (ଜିଏସ୍ଟି ଅନ୍ତର୍ଭୁକ୍ତ କରି) ବିକ୍ରୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୬ ଜୀବନ ରକ୍ଷାକାରୀ ମେଡିସିନରୁ କଷ୍ଟମ ଡ୍ୟୁଟି ହଟାଇବାକୁ ଘୋଷଣା କରିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ, କ୍ୟାନସର ଏବଂ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ସରକାର ୩୬ ଜୀବନ ରକ୍ଷାକାରୀ ମେଡିସିନ ଉପରେ ବିସିଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।