fbpx

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ; ଲକଡାଉନ୍ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) :  ଦେଶରେ କରୋନାର ଦ୍ୱିତୀୟ ଲହରରେ ସ୍ଥିତି ଅଣାୟତ୍ତ ହୋଇ ପଡିଛି । ଉଦବେଗଜନକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ଦିନ ରେକର୍ଡ ଭାଙ୍ଗୁଛି । ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବା ସହ ଅନେକ କଟକଣା ମଧ୍ୟ ଜାରି ହୋଇଛି । ତଥାପି କରୋନାର ବେଗ ଥମିବାର ନାଁ ଧରୁନାହିଁ । ଗତକାଲି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କରୋନା ବୃଦ୍ଧି ନେଇ ଲୋକଙ୍କ ମନରେ ଲକଡାଉନ୍ ଆଶଙ୍କା ମଧ୍ୟ ଉଙ୍କି ମାରୁଛି । କଣ ସମଗ୍ର ଦେଶରେ ପୁଣି ଥରେ ଲକଡାଉନ୍ ଲାଗିବ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ  ଆଜି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶର କରୋନା ସଂକ୍ରମଣକୁ ନେଇ ଏହି ବୈଠକ ବସିବ । ଦ୍ରୁତ ବେଗରେ ବଢୁଥିବା କରୋନାକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ କିଛିଦିନ ଧରି ଦାବି ହେଇଆସୁଛି । ଏନେଇ ପ୍ରଧାନମନ୍ତ୍ରୀ ବୈଠକରେ ଲକଡାଉନ୍ ଉପରେ କିଛି ନିଷ୍ପତ୍ତି ନେଇପାରନ୍ତି । ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିିତ ରହିବେ। ନାଇଟ୍ କର୍ଫ୍ୟୁ, ସାପ୍ତାହିକ ଲକଡାଉନ୍ ଏବଂ ୱିକେଣ୍ଡ ଲାକଡାଉନ୍ ଆଦି ଘୋଷଣା କରାଯାଇ ଥିଲେ ମଧ୍ୟ କରୋନା ସ୍ଥିତିର କୌଣସି ସୁଧାର ହୋଇନାହିଁ । ସେପଟେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯କୁ ବୃଦ୍ଧି ପାଇଛି । ଦିନକରେ ୨ ଲକ୍ଷ ୭୩ ହଜାର ୮୧୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.